ନୂଆଦିଲ୍ଲୀ,୨୫-୬: ଗତ ୫ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଇଛାକୃତ ଖିଲାପକାରୀଙ୍କ ସଂଖ୍ୟା ୬୦% ବଢି ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୮୫୮୨ ଛୁଇଁଛି। ୨୦୧୪-୧୫ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଏହା ୫,୩୪୯ ରହିଥିଲା ବୋଲି ସୋମବାର ଲୋକସଭାକୁ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୂଚନା ଦେଇଛନ୍ତି। ୨୦୧୪-୧୫ ପରଠାରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଇଛାକୃତ ଖିଲାପକାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଛି। ଏହା ୨୦୧୫-୧୬ରେ ୬,୫୭୫ ଥିବା ବେଳେ ୨୦୧୬-୧୭ରେ ୭,୦୭୯ ଏବଂ ୨୦୧୭-୧୮ ଆର୍ଥତ୍କ ବର୍ଷରେ ୭,୫୩୫କୁ ବୃଦ୍ଧି ଘଟିଥିଲା। ସେହିଭଳି ଗତ ୫ ବର୍ଷରେ ଇଛାକୃତ ଖିଲାପକାରୀଙ୍କଠାରୁ ସରକାର ୭୬୫୪ କୋଟି ଟଙ୍କା ଅସୁଲ କରିବାକୁ ସକ୍ଷମ ହୋଇଥିବା ସୀତାରାମନ କହିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଅସୁଲ ପାଇଁ ୮୧୨୧ ମାମଲା ସାମ୍ନାକୁ ଆସିଛି। ଏହାବାଦ ସରଫାଏସି ଆଇନରେ ୬,୨୫୧ ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ଦେଶର ୧୭ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଠକେଇ ତଥା ଆପରାଧିକ କାର୍ଯ୍ୟ ଲାଗି ବ୍ୟକ୍ତିବିଶେଷଙ୍କ ବିରୋଧରେ ୨,୯୧୫ ମାମଲାରେ ଏତଲା ଦିଆଯାଇଛି। ରିଜର୍ଭ ବ୍ୟାଙ୍କର ପରାମର୍ଶ କ୍ରମେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଇଛାକୃତ ଖିଲାପକାରୀ ବ୍ୟକ୍ତି କୌଣସି କମ୍ପାନୀର ପ୍ରମୋଟର କିମ୍ବା ନିର୍ଦ୍ଦେଶକ ଥିଲେ ତାଙ୍କୁ ସେବି ନିୟମ ମୁତାବକ ପୁଞ୍ଜି ବଜାରରୁ ବାରଣ କରାଯାଇଛି। ଏହାବାଦ ୨୦୧୬ର ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ ଅନୁଯାୟୀ ଇଛାକୃତ ଖିଲାପକାରୀ ଇନସଲଭେନ୍ସି ପ୍ରକ୍ରିୟାରେ ଭାବେ ନେଇ ପାରିବେ ନାହିଁ ବୋଲି କୁହାଯାଇଛି।
ଦେଶ ଛାଡି ପଳାୟନ କରୁଥିବା ଖିଲାପକାରୀଙ୍କ ବିରୋଧିରେ କାର୍ଯ୍ୟାନୁଷ୍ଠାନ ଲାଗି ପଳାତକ ଆର୍ଥତ୍କ ଅପରାଧି ଆଇନ ୨୦୧୮ ଆସିଛି। ଏହା ଦ୍ୱାରା ପଳାତକ ଖିଲାପକାରୀ ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରିବାକୁ ସରକାର ସକ୍ଷମ ହେବେ। ଇଛାକୃତ ଖିଲାପକାରୀ ବ୍ୟକ୍ତିଙ୍କ ଫଟୋକୁ ପ୍ରକାଶନ କରିବା ଲାଗି ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଛନ୍ତି। ସେହିଭଳି ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ନେଉଥିବା ବ୍ୟକ୍ତିଙ୍କ ପାସପୋର୍ଟର ପ୍ରମାଣିତ କପି ରଖିବା ନେଇ ବ୍ୟାଙ୍କଗୁଡିକୁ କୁହାଯାଇଛି। ଏହି ବ୍ୟକ୍ତିଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି କରିବା ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟ ମାନଙ୍କୁ କ୍ଷମତା ଦିଆଯାଇଛି।