ଇଛାମୃତ୍ୟୁ ନିବେଦନ ସତ୍ତ୍ୱେ ମିଳୁନି ରାଜେଶଙ୍କୁ ସହାୟତା

କେନ୍ଦୁଝର, ୪ା୨ (ସ୍ବ.ପ୍ର./ଡି.ଏନ.ଏ.)-ଘଟଗାଁ ବ୍ଲକ ଉପରଡିହା ଗ୍ରାମର ରାଜେଶ କୁମାର ବେହେରା (୨୪) ଦୁସାଧ୍ୟ ଉଇଲସନ ରୋଗରେ ପିଡିତ ଅଛନ୍ତି। ମା’ବାପା ଚିକିତ୍ସା କରି ବହୁ ଖର୍ଚ୍ଚାନ୍ତ ହୋଇଥିଲେ ହେଁ ବହୁ କଷ୍ଟ ଯନ୍ତ୍ରଣାରେ ରାଜେଶ ଦିନ କାଟୁଛନ୍ତି ା ଚିକିତ୍ସା ପାଇଁ ଆଉ ସମ୍ବଳ ନାହିଁ ା ଏଣୁ ବାଧ୍ୟ ହୋଇ ତାଙ୍କ ମା’ ସନ୍ଧ୍ୟାରାଣୀ ବେହେରା, ବାପା ଧନେଶ୍ୱର ବେହେରା ଏକ ମାତ୍ର ପୁଅର କଷ୍ଟ ଯନ୍ତ୍ରଣା ଦେଖି ନ ପାରି ରାଷ୍ଟ୍ରପତିଙ୍କୁ ୨୦୧୯ ମସିହା ଜୁଲାଇ ୧୩ ତାରିଖରେ ଇଛାମୃତ୍ୟୁ ପାଇଁ ଆବେଦନ କରିଥିଲେ।
ବହୁତ କମ ବୟସରେ ୨୦୦୮ ମସିହାରୁ ରାଜେଶ ଏଭଳି ଦୁସାଧ୍ୟ ରୋଗରେ ପିଡିତ ହୋଇଥିବାରୁ ପରିବାର ଲୋକ ତାର ଚିକିତ୍ସା ଓ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। ମାସକୁ ପୁଅର ଚିକିତ୍ସା ଖର୍ଚ୍ଚ ପାଖାପାଖି ୩୫୦୦ ଟଙ୍କା। ଗଣ ଶିକ୍ଷକ ଭାବରେ କାମ କରୁଥିବା ଧନେଶ୍ୱରଙ୍କ ଦରମା ମାତ୍ର ୬୪୦୦ ଟଙ୍କା। ପିଏଫ ବାବଦକୁ କଟିଲେ ପାଉଛନ୍ତି ୫୨୦୦ ଟଙ୍କା। ତେବେ ପୁଅର ଚିକିତ୍ସା ପାଇଁ ପରିବାର ଲୋକ ବହୁ ଖର୍ଚ୍ଚାନ୍ତ ହୋଇ ସାରିଥିଲେ ା ଏଣୁ ଏତିକି ଦରମାରେ କିପରି ଚିକିତ୍ସା କରିବେ ସେଥିପାଇଁ ଇଛାମୃତ୍ୟୁ ଆବେଦନ ପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ମାଗଣା ଔଷଧ ଯୋଗାଇଦେବାକୁ ବ୍ୟବସ୍ଥା କରିଥିଲେ ବୋଲି ସେ କହିଛନ୍ତି। ତେବେ ଗତ ୭ ମାସ ମଧ୍ୟରେ ମାତ୍ର ଗୋଟିଏ ମାସର ଔଷଧ ବାବଦକୁ ୩୫୦୦ ଟଙ୍କା ଦେଇ ଚୁପ ବସିଯାଇଥଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି ା ସେ ୩ ମାସର ବିଲ ଦେଇଥିଲେ ହେଁ ଏଯାଏ ତାଙ୍କୁ ଟଙ୍କା ମିଳିଲା ନାହିଁ। ଟଙ୍କା କିମ୍ବା ଆଉ ଔଷଧ ନ ମିଳିବାରୁ ବାଧ୍ୟ ହୋଇ ସୋମବାର ପରିବାର ଲୋକଙ୍କ ସହାୟତାରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ରାଜେଶଙ୍କୁ ଧରି ତାଙ୍କ ବାପା ନିବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଡିଏମ୍‌ଏଫ୍‌ ଅର୍ଥରୁ ମାସିକ ଅନୂ୍ୟନ ୧୦ହଜାର ଟଙ୍କା ଚିକିତ୍ସା ଓ ଭରଣପୋଷଣ ସହାୟତା ଯୋଗାଇ ଦିଆଯାଉ ବୋଲି ଉଇଲସନ୍‌ ରୋଗରେ ପିଡିତ ରାଜେଶଙ୍କ ମା’ବାପା ସୋମବାର ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।