Categories: ଖେଳ

ଇଞ୍ଜାମାମଙ୍କ ଆଶା

ଆଇସିସି କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଏପର୍ଯ୍ୟନ୍ତ ଭାରତକୁ ମୋଟ ୬ ଥର ଭେଟିଛି ଏବଂ ସବୁଥର ହାରିଛି। ଏଥର କିନ୍ତୁ ପାକିସ୍ତାନ ପରାଜୟ ଧାରା ଭାଙ୍ଗିପାରିବ ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଅଧିନାୟକ ତଥା ଚୟନ କମିଟି ମୁଖ୍ୟ ଇଞ୍ଜାମାମ-ଉଲ୍‌-ହକ୍‌। ଆସନ୍ତା ବିଶ୍ୱକପରେ ଭାରତ ଓ ପାକିସ୍ତାନ ଜୁନ ୧୬ରେ ମାଞ୍ଚେଷ୍ଟରଠାରେ ପରସ୍ପରକୁ ଭେଟିବେ। ”ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଭାବେ ଭାରତ-ପାକିସ୍ତାନ ମ୍ୟାଚକୁ ଦର୍ଶକମାନେ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥାନ୍ତି। କେବଳ ଭାରତ ବିପକ୍ଷ ମ୍ୟାଚରେ ଜିତିଲେ ମଧ୍ୟ ଆମେ ଖୁସିହେବୁ ବୋଲି ସେମାନଙ୍କ ମଧ୍ୟରୁ କେତେକ କହିଥାନ୍ତି। ତେଣୁ ଏଥର ପାକିସ୍ତାନ ଏଥର ଭାରତ ବିପକ୍ଷରେ ପରାଜୟଧାରା ଭାଙ୍ଗିବାନେଇ ମୁଁ ଆଶାବାଦୀ“ ବୋଲି ଇଞ୍ଜାମାମ କହିଛନ୍ତି। ବିଶ୍ୱକପରେ କେବଳ ଭାରତ ବିପକ୍ଷ ମ୍ୟାଚ ନୁହେଁ, ପାକିସ୍ତାନ ଅନ୍ୟ ଦଳଗୁଡ଼ିକୁ ମଧ୍ୟ ହରାଇବାର ଦକ୍ଷତା ରଖିଛି ବୋଲି ୧୨୦ ଟେଷ୍ଟ ଖେଳିଥିବା ଇଞ୍ଜାମାମ କହିଛନ୍ତି।
ପାକିସ୍ତାନ କ୍ରମାଗତ ୧୦ ଏକଦିବସୀୟ ହାରିବା ସହ ବିଶ୍ୱକପ ଖେଳିବାକୁ ଆସିଛି। ଏପରିକି ଦଳ ଓ୍ବାର୍ମଅପ୍‌ ମ୍ୟାଚରେ ଆଫଗାନିସ୍ତାନଠାରୁ ମଧ୍ୟ ହାରିଛି। ପାକିସ୍ତାନ ବିଶ୍ୱକପ ଦଳରେ ବିଳମ୍ବରେ ପରିବର୍ତ୍ତନ କରିଥିବାରୁ ଇଞ୍ଜାମାମଙ୍କୁ କଡ଼ା ସମାଲୋଚନା ମଧ୍ୟ କରାଯାଇଛି। ଏ ସମ୍ପର୍କରେ ଇଞ୍ଜାମାମ କହିଛନ୍ତି ଯେ, ”ଲୋକମାନେ ଭାବନ୍ତି ଯେ, ୧୪-୧୫ ଖେଳାଳିଙ୍କୁ ଚୟନ କରିଦେବା ସହଜ, ମାତ୍ର ତା ନୁହେଁ। କାରଣ ସେଥିରେ ବହୁତ ଚାପ ଥାଏ। ଉଦାହରଣ ସ୍ବରୂପ ବିଶ୍ୱକପ ପାଇଁ ଆମକୁ ଫାଷ୍ଟ ବୋଲର ଚୟନ କରିବା ଅତ୍ୟନ୍ତ କଷ୍ଟକର ଥିଲା। ବିଶେଷକରି ମହମ୍ମଦ ଅମିର, ଜୁନାଇଦ୍‌ ଖାଁ ଓ ଉସମାନ ଖାଁ ଶିନଓ୍ବାରୀଙ୍କ ଉପସ୍ଥିତିରେ ଏହା ଅଧିକ କଷ୍ଟକର ହୋଇଥିଲା“। ମହମ୍ମଦ ହାସନେନ ଘଣ୍ଟାକୁ ୧୫୦ କିଲୋମିଟର ବେଗରେ ବୋଲିଂ କରିବା ଦକ୍ଷତା ରଖିଛନ୍ତି। ଅନ୍ୟ ପାକ୍‌ ଫାଷ୍ଟ ବୋଲରମାନେ ୧୩୦ରୁ ୧୪୦ କିଲୋମିଟର ବେଗରେ ବୋଲିଂ କରୁଛନ୍ତି। ତେଣୁ ହାସନେନଙ୍କ ଉପସ୍ଥିତି ପାକିସ୍ତାନ ବୋଲିଂ ବିଭାଗକୁ ଅଧିକ ଶାଣିତ କରିଛି ବୋଲି ଏହି ୪୯ ବର୍ଷୀୟ ଭେଟେରାନ କହିଛନ୍ତି। ଇଂଲଣ୍ଡ ବିଶ୍ୱର ନମ୍ବରଓ୍ବାନ ଦଳ। ଭାରତୀୟ ଦଳ ବେଶ୍‌ ସନ୍ତୁଳିତ। ନିକଟ ଅତୀତରେ ନ୍ୟୁଜିଲାଣ୍ଡ ଉତ୍ତମ କ୍ରିକେଟ ଖେଳିଆସୁଛି। ତେଣୁ ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିଶ୍ୱକପ ସେମିଫାଇନାଲ ଖେଳିବାପାଇଁ ହକ୍‌ଦାର ବୋଲି ଇଞ୍ଜାମାମ କହିଛନ୍ତି।

Share