ଇଞ୍ଜିନିୟରଙ୍କଠାରୁ ଲୁଟ୍‌ ବାଇକ୍‌, ମୋବାଇଲ ଜବତ

ଭୁବନେଶ୍ୱର,୨୧।୨(ବ୍ୟୁରେ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡା ଅଞ୍ଚଳରେ ରାତିରେ କାମ ସାରି ଘରକୁ ଫେରୁଥିବା ଜଣେ ଇଞ୍ଜିନିୟରଙ୍କ ବାଇକ୍‌ ଓ ମୋବାଇଲ ଲୁଟପାଟ କରିଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଞ୍ଚଳର ଆଜାରୁଦ୍ଦିନ ଶାହା ଓ ଗୋପାଳ ବିଶ୍ୱାଳ। ପୋଲିସ ଅଭିଯୁକ୍ତଙ୍କୁ ନିକଟରୁ ଚୋରି ବାଇକ୍‌ ଓ ମୋବାଇଲ ଉଦ୍ଧାର କରିଛି।
ପୋଲିସ ସୂଚନା ମୁତାବକ, କଟକ ବାଦାମବାଡିସ୍ଥିତ ଏକ ଘରୋଇ କମ୍ପାନୀରେ ସୌରଭ ଶତପଥୀ ଇଞ୍ଜିନିୟର ଚାକିରି କରିବା ସହ ପଟିଆ ଅଞ୍ଚଳରେ ରହୁଥିଲେ। ୨୦୧୯ ଅଗଷ୍ଟ ୧୭ ରାତିରେ ସେ ଅଫିସ କାମ ସାରି ଘରକୁ ଫେରୁଥିଲେ। ଭୋଟପଡା ଅଞ୍ଚଳରେ ଥିବା ସାଇଫୋନ ବୁଲାଣି ନିକଟରେ ୨ ଅଭିଯୁକ୍ତ ତାଙ୍କ ସହଯୋଗୀ ସହ ସୌରଭଙ୍କୁ ଅଟକାଇ ଥିଲେ। ଏଥିସହ ତାଙ୍କ ନିକଟରୁ ବଳପୂର୍ବକ ବାଇକ୍‌ ଓ ମୋବାଇଲ ଛଡାଇ ଫେରାର ହୋଇ ଯାଇଥିଲେ। ଏ ନେଇ ସୌରଭ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୩୪୧/୧୯ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ମୋବଇଲ ଫୋନକୁ ଟ୍ରାକ କରି ପୋଲିସ ୨ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ ଗିରଫ କରିଥିଲା। ଏଥିସହ ଅଭିଯୁକ୍ତଙ୍କ ନିକଟରୁ ବାଇକ୍‌ ଓ ମୋବାଇଲ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ସହଯୋଗୀ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ପୋଲିସ ୨ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଗୁରୁବାର କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ୨ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Share