ଇଞ୍ଜିନ୍‌ ବଦଳାଇବା ବେଳେ ଦୁର୍ଘଟଣା; ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଗୁଣପୁର,୨୩ା୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଗୁଣପୁର ରେଳ ଷ୍ଟେଶନ୍‌ରେ ବୁଧବାର ରାତିରେ ଏକ ଇଞ୍ଜିନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଇଞ୍ଜିନ୍‌ ସାମାନ୍ୟ ଲାଇନ୍‌ଚ୍ୟୁତ ହୋଇଥିବାବେଳେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାରୁ ପ୍ରକାଶ ଯେ, ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍‌ ରାତି ୯ଟା ୧୫ରେ ଗୁଣପୁର ଷ୍ଟେଶନ୍‌ରେ ପହଞ୍ଚିଥିଲା। ଟ୍ରେନ୍‌ଟି ଏଠାରୁ ପଲାସା ଯିବାକୁ ଥିବାବେଳେ ଗୁଣପୁର ଶେଷ ଷ୍ଟେଶନ୍‌ ହୋଇଥିବାରୁ ଏଠାରେ ଇଞ୍ଜିନ୍‌ଟି ବଦଳା ଯାଇଥିଲା। ଏହି ସମୟରେ ରାତି ପ୍ରାୟ ସାଢ଼େ ୯ଟାରେ ଇଞ୍ଜିନ୍‌ଟି ଯାଇ କଂକ୍ରିଟ୍‌ ଡେଡ୍‌ ଏଣ୍ଡକୁ ଧକ୍କା ଦେଇଥିଲା। ଫଳରେ କଂକ୍ରିଟ୍‌ ଡେଡ୍‌ ଏଣ୍ଡ୍‌ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଲାଇନ୍‌ଚ୍ୟୁତ ଇଞ୍ଜିନ୍‌ଟିକୁ ଟ୍ରାକ୍‌କୁ ଅଣାଯାଇଥିବା ଜଣାପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଅନ୍ୟପକ୍ଷରେ ପାରଳାଖେମୁଣ୍ଡିରୁ ଏକ ଇଞ୍ଜିନ୍‌ ଗୁଣପୁର ଅଭିମୁଖେ ବାହାରିଥିବାବେଳେ ଏହା ପହଞ୍ଚିବାପରେ ଟ୍ରେନ୍‌ ପଲାସା ଯାତ୍ରା କରିବ ବୋଲି ସୂଚନା ମିଳିଛି। ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।