Categories: ଖେଳ

ଇଞ୍ଜୁରି କାରଣରୁ ହାର୍ଦ୍ଦିକ ଦୀର୍ଘ ଦିନ ବାଦ୍‌ ପଡିବା ସମ୍ଭାବନା

ନୂଆଦିଲ୍ଲୀ,୧।୧୦(ପି.ଟି.)- ଭାରତର ପ୍ରଥମ ପସନ୍ଦର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଞ୍ଜୁରି କାରଣରୁ ଦୀର୍ଘ ଦିନଧରି କ୍ରିକେଟରୁ ବାଦ୍‌ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ପିଠିର ନିମ୍ନ ଭାଗରେ ଥିବା ଅଘାତ ସମସ୍ୟା କାରଣରୁ ସେ ଆଗକୁ ଆୟୋଜନ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଟି୨୦ ସିରିଜରୁ ମଧ୍ୟ ବାଦ୍‌ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ଇଞ୍ଜୁରି କେତେ ପରିମାଣରେ ରହିଛି ତାହାର ଆକଳନ ପାଇଁ ସେ ଖୁବ୍‌ଶୀଘ୍ର ୟୁନାଇଟେଡ କିଙ୍ଗ୍‌ଡମ୍‌ ଯାତ୍ରା କରିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ଗତବର୍ଷ ସେପ୍ଟେମ୍ବରରେ ଦୁବାଇରେ ଅନୁଷ୍ଠିତ ଏସିଆ କପ୍‌ ଅବସରରେ ସେ ଆହତ ହୋଇଥିଲେ। ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ସିରିଜରୁ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ବାଦ ପଡିବା ପରେ ହାର୍ଦ୍ଦିକ ମଧ୍ୟ ବାଦ୍‌ ପଡିଛନ୍ତି। ପିଠିର ନିମ୍ନ ଭାଗରେ ଷ୍ଟ୍ରେସ ଫ୍ରାକ୍‌ଚର କାରଣରୁ ତାଙ୍କ ଆଘାତ ସମସ୍ୟା ଆହୁରି ବଢିଯାଇଛି। ପୂର୍ବରୁ ୟୁକେରେ ଯେଉଁ ଡାକ୍ତର ତାଙ୍କର ଚକିତ୍ସା କରିଥିଲେ ଏବେ ତାଙ୍କ ନିକଟରେ ହାର୍ଦ୍ଦିକ ଚିକିତ୍ସା କରାଇବେ। ତେବେ ସେ କେତେ ଦିନ କ୍ରିକେଟରୁ ଦୂରେଇ ରହିବେ ତାହା ଏବେ କହିବା କଷ୍ଟକର ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ ଜର୍ମାନୀରେ ତାଙ୍କର ଚିକିତ୍ସା ହୋଇପାରିଥାନ୍ତା। ତେବେ ବୋର୍ଡ ୟୁକେରେ ସେ ଚିକିତ୍ସା କରିବାକୁ ଅଗ୍ରାଧିକାର ଦେଇଛି। ଯଦି ଆସ୍ତ୍ରୋପଚାର ହୁଏ ତାହାଲେ ସେ ୫ ମାସ ବାଦ୍‌ ପଡିବାର ସମ୍ଭାବନା ରହିଛି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ହାର୍ଦ୍ଦିକ ଦଳର ସଦସ୍ୟ ରହିବା ନିଶ୍ଚିତ। ୨୫ବର୍ଷୀୟ ହାର୍ଦ୍ଦିକ ଏପର୍ଯ୍ୟନ୍ତ ୧୧ଟି ଟେଷ୍ଟ ଖେଳି ୧୭ଟି ଉଇକେଟ ନେବା ସହ ୫୩୨ ରନ ସଂଗ୍ରହ କରିଛନ୍ତି। ସେହିପରି ୫୪ଟି ଦିନିକିଆ ମ୍ୟାଚ୍‌ ଖେଳି ସେ ୫୪ଟି ଉଇକେଟ ନେବା ସହ ୯୩୭ ରନ ସଂଗ୍ରହ କରିଛନ୍ତି। ୪୦ଟି ଟି୨୦ ମ୍ୟାଚ୍‌ ଖେଳି ସେ ୩୮ଟି ଉଇକେଟ ଅକ୍ତିଆର କରିବା ସହ ୩୧୦ ରନ ସଂଗ୍ରହ କରିଛନ୍ତି।

Share