ଇଞ୍ଜେକଶନ୍‌ ନେଇ ଏକାଧିକ ରୋଗୀ ଅସୁସ୍ଥ

ପୁରୀ ଅଫିସ,୧୨।୧୨: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ବୁଧବାର ସକାଳେ ଇଞ୍ଜେକଶନ ନେବା ପରେ ଏକାଧିକ ରୋଗୀ ଅସୁସ୍ଥ ହୋଇପଡ଼ିଥିଲେ। ଇଞ୍ଜେକସନ୍‌ ନେବାର କିଛି ସମୟ ପରେ ରୋଗୀମାନଙ୍କ ମୁଣ୍ଡ ବୁଲାଇବା ସହ ସେମାନେ ବାନ୍ତି କରିଥିଲେ। ଜଣକ ପରେ ଜଣେ ରୋଗୀଙ୍କର ଏଭଳି ଅବସ୍ଥା ହୋଇଥିଲା। ତୁରନ୍ତ ସେମାନଙ୍କୁ ସାଲାଇନ ଦିଆଯିବା ସହ ଚିକିତ୍ସା କରାଯାଇଥିଲା। ଏହାପରେ ସେମାନେ ସୁସ୍ଥତା ଅନୁଭବ କରିଥିଲେ। ଜଣେ ରୋଗୀ କହିଛନ୍ତି, ସକାଳ ସାଢେ ୬ଟାରେ ଡ୍ୟୁଟିରେ ଥିବା ଜଣେ ନର୍ସ ଇଞ୍ଜେକଶନ ଦେଇଥିଲେ। ଏହାର ୧୦ ମିନିଟ୍‌ ପରେ ତାଙ୍କ ମୁଣ୍ଡ ବୁଲାଇ ହେବା ସହ ଚାରିଆଡ଼ ଅନ୍ଧାର ଦିଶିଥିଲା। ତେବେ ସଙ୍ଗେସଙ୍ଗେ ସାଲାଇନ ଦିଆଯିବାରୁ ସେ ସୁସ୍ଥ ହୋଇଥିଲେ। ଅନ୍ୟପକ୍ଷେ କେଉଁ କାରଣରୁ ଏଭଳି ଘଟଣା ଘଟିଲା, ଇଞ୍ଜେକଶନ୍‌ର ଏକ୍ସପାୟରୀ ତାରିଖ ଥିଲା କି ନାହିଁ, ଅଧିକ ଡୋଜ୍‌ କିମ୍ବା ଭୁଲ୍‌ ଇଞ୍ଜେକ୍ସନ ଦିଆଯାଇଥିଲା କି ଆଦି ନାନା ପ୍ରଶ୍ନ ଉଠିଥିବାବେଳେ ଏହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ସିଡିଏମ୍‌ଓ ନୀଳକଣ୍ଠ ମିଶ୍ରଙ୍କ ମତାମତ ପାଇଁ ତାଙ୍କ ମୋବାଇଲ ଫୋନ୍‌ (ନଂ. ୯୪୩୯୯୯୪୭୧୦)କୁ କଲ୍‌ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।