ଇଟାଭାଟି ଭାଙ୍ଗି ନ ପାରି ଫେରିଲା ପ୍ରଶାସନ

ରେମୁଣା, ୧୦ା୧(ଡି.ଏନ.ଏ.)-ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ନୂଆଗଁାରେ ଘଟଣାର ପୁନରାବୃତ୍ତି ହୋଇଛି। ସେଠାରେ ଜାତୀୟ ରାଜପଥର ପ୍ରାୟ ୨ଶହ ମିଟର ଦୂରରେ ଥିବା ମୁକ୍ତା-୧ ଇଟାଭାଟିକୁ ବେଆଇନ ଦର୍ଶାଇ ଗୁରୁବାର ପ୍ରଶାସନ ପ୍ରସ୍ତୁତ ହୋଇ ସେଠାରେ ପହଞ୍ଚିଥିଲେ ମଧ୍ୟ ଲୋକଙ୍କ ବିରୋଧ ଯୋଗୁ ଫେରିବାକୁ ପଡିଛି।
ରେମୁଣାର ଭାରପ୍ରାପ୍ତ ତହସିଲଦାର ଆନନ୍ଦିତା ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଅଭିଯାନ ହୋଇଥିଲା ା ବସ୍ତା ତହସିଲଦାର ନରେନ୍ଦ୍ର ଖମାରୀ ୧ ପ୍ଲାଟୁନ ପୋଲିସ ସହିତ ମାଜିଷ୍ଟ୍ରେଟ୍‌ ଭାବେ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ସେଠାରେ ଉପଜିଲାପାଳ ନୀଲୁ ମହାପାତ୍ର, ଡିଏସ୍‌ପି ଉମେଶ କୁମାର ପଣ୍ଡା, ଅତିରିକ୍ତ ଏସ୍‌ପି ତୁଷାରକାନ୍ତି ଜେନା, ଶିଳ୍ପାଞ୍ଚଳ ଥାନା ଅଧିକାରୀ ପରେଶ କୁମାର ରାଉତ, ରେମୁଣା ଥାନା ଅଧିକାରୀ ଲୋପାମୁଦ୍ରା ନାୟକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀ ସନ୍ଧ୍ୟାରାଣୀ ମାର୍ଣ୍ଡି ଏବଂ ଦମକଳ ବାହିନୀ ଉପସ୍ଥିତ ଥିଲେ ା ହେଲେ ଭାଟି ପରିସରରେ ଶହ ଶହ ଶ୍ରମିକ ସେମାନଙ୍କ ପିଲାଛୁଆଙ୍କୁ ଧରି ବସିରହିଥିଲେ ା ଭାଟି ଉଚ୍ଛେଦ ହେଲେ ସେମାନଙ୍କ ପରିବାର ଉପବାସ ରହିବେ ଏବଂ ଜୀବନଜୀବିକା ହରାଇବେ ବୋଲି କହିଥିଲେ ା ବାଲେଶ୍ୱର ଜିଲା ଇଟାଭାଟି ମାଲିକ ସଂଘ ସଭାପତି ଶତ୍ରୁଘ୍ନ ସାମଲ, ସମ୍ପାଦକ ଅଶୋକ ତରେଇଙ୍କ ସମେତ ଶତାଧିକ ମାଲିକ ସେଠାରେ ପହଞ୍ଚି ଭାଟି, ମାଲିକ, ଶ୍ରମିକ ଏବଂ ସେମାନଙ୍କ ପରିବାର ବିଷୟରେ ପ୍ରକୃତ କଥା ହୃଦ୍‌ବୋଧ କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ତେଣୁ ସେମାନଙ୍କୁ ତିଆରି ଇଟା ସରିବା ପର୍ଯ୍ୟନ୍ତ ଅନ୍ୟୁନ ଏପ୍ରିଲ ମାସ ପର୍ଯ୍ୟନ୍ତ ସମୟ ଦେବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ସମସ୍ତ ଆଇନକାନୁନ ମାନିବୁ ବୋଲି ଲିଖିତ ଭାବେ ଜଣାଇଥିଲେ ା ଏନେଇ ମାଲିକ ଏବଂ ପ୍ରଶାସନ ମଧ୍ୟରେ ତୁରନ୍ତ ଏକ ବୈଠକ ଅନୁଷ୍ଠିତ ହୋଇ ନିଷ୍ପତ୍ତି ନିଆଯିବ କହି ପ୍ରଶାସନ ଅପରାହ୍ନରେ ସେଠାରୁ ଫେରିଥିଲା ା