Categories: ଖେଳ

ଇଟାଲିଆନ ଓପନ:କୋର୍ଟ ଉପରେ କିର୍ଗିଅସଙ୍କ କାଣ୍ଡ

ରୋମ, ୧୭|୫- ଅଷ୍ଟ୍ରେଲିଆନ୍‌ ଟେନିସ ଖେଳାଳି ନିକି କିର୍ଗିଅସଙ୍କୁ ଏଠାରେ ଚାଲିଥିବା ଇଟାଲିଆନ ଓପନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ମଝିରୁ ବିଦା କରାଯାଇଛି। ଗୁରୁବାର ନରଓ୍ବେର କ୍ୟାସପର ରୁଡଙ୍କ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ର ୩ୟ ସେଟ୍‌ ବେଳେ ଅଣଖେଳୁଆଡ଼ ମନୋଭାବ ଯୋଗୁ କିର୍ଗିଅସଙ୍କୁ ଅମ୍ପାୟର ତାଗିଦ କରିବା ସହ ଏକ ପେନାଲ୍ଟି ଗେମ୍‌ ଦେଇଥିଲେ। ଏଥିରେ ବିଶ୍ୱର ୩୬ତମ ର଼୍ୟାଙ୍କ ଖେଳାଳି ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇଯାଇଥିଲେ। ସେ ଗ୍ରାଉଣ୍ଡ ଉପରେ ର଼୍ୟାକେଟ ଫିଙ୍ଗିବା ସହ ପାଣି ବୋତଲକୁ କିକ୍‌ କରିଥିଲେ। ଏହାପରେ ଚେୟାର ଉଠାଇ କୋର୍ଟ ମଝିକୁ ଫିଙ୍ଗିଥିଲେ। ଏଭଳି କାଣ୍ଡ ଯୋଗୁ ୨୪ ବର୍ଷୀୟ ଖେଳାଳିଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ମ୍ୟାଚ୍‌ରେ ବାଧାସୃଷ୍ଟି ହେବା ସୁଦ୍ଧା ୬-୩, ୬-୭(୫), ୨-୧ ସେଟ୍‌ରେ ଆଗୁଆ ଥିବା ପ୍ରତିପକ୍ଷ ରୁଡ୍‌ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ପରବର୍ତ୍ତୀ ମ୍ୟାଚ୍‌ରେ ଜୁଆନ ମାର୍ଟିନ ଡେଲ ପୋଟ୍ରୋଙ୍କୁ ଭେଟିବେ।

Share