ଇଟାଲି ଚର୍ଚ୍ଚରେ କଫିନ୍‌ର ଲମ୍ବା ଲାଇନ

ରୋମ୍‌,୨୯।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଚାଇନାରେ ମୃତ୍ୟୁର ତାଣ୍ଡବ ରଚିବା ପରେ କରୋନା ଇଟାଲିରେ ମଧ୍ୟ ଘରେ ଘରେ ଆତଙ୍କ ସୃଷ୍ଟି କରିଛି। ସମ୍ପ୍ରତି ଇଟାଲିରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଛି। ଧାର୍ମିକ ପରମ୍ପରା ଅନୁସାରେ ଏଠାରେ ମୃତକଙ୍କୁ କଫିନରେ କବର ଦିଆ ଯାଇଥାଏ। ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏଠାକାର ବିଭିନ୍ନ ଚର୍ଚ୍ଚରେ ମୃତଦେହ ଥିବା କଫିନ୍‌ର ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। କଫିନ୍‌ ଗୁଡ଼ିକୁ ଟ୍ରକ୍‌ରେ ବିଭିନ୍ନ କବରସ୍ତାନକୁ ନିଆଯାଇ ସେଠାରେ ପୋତି ଦିଆଯାଉଛି। ବହୁ କ୍ଷେତ୍ରରେ ସଂକ୍ରମଣ ଭୟରେ ମୃତକଙ୍କୁ ଶେଷ ଥର ପାଇଁ ଦର୍ଶନ କରିବାକୁ କୌଣସି ପରିବାର ସଦସ୍ୟ ମଧ୍ୟ ଆସୁ ନାହାଁନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଚର୍ଚ୍ଚରୁ କଫିନ୍‌ଗୁଡ଼ିକୁ କବରସ୍ତାନ ପର୍ଯ୍ୟନ୍ତ ନିଆ ଯିବାର ବ୍ୟବସ୍ଥା କରାଯାଉଛି। ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share