Categories: ଖେଳ

ଇଡେନ୍‌ ଗାର୍ଡେନରେ ଭାରତ-ବାଂଲାଦେଶ ଦିବାରାତ୍ର ଟେଷ୍ଟ: ଗାଙ୍ଗୁଲି

କୋଲକାତା,୨୯।୧୦(ପି.ଟି.)- ଭାରତ ଏବେ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବା ନିଶ୍ଚିତ ହୋଇଛି। ଐତିହାସିକ ଇଡେନ ଗାର୍ଡେନରେ ଭାରତ ପଡୋଶୀ ବାଂଲାଦେଶ ବିପକ୍ଷରେ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ। ଏନେଇ ନବ ନିର୍ବାଚତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ଫଳରେ ଏ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏହି ଟେଷ୍ଟ ମ୍ୟାଚ୍‌ ଆସନ୍ତା ନଭେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ଖେଳାଯିବ। ଆଗାମୀ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ୍‌ ସାବ୍ୟସ୍ତ ହେବ। ବିବାରାତ୍ର ଟେଷ୍ଟ ନେଇ ଗାଙ୍ଗୁଲି ବାଂଲଦେଶ କ୍ରିକେଟ ବୋର୍ଡ (ବିସିବି)କୁ ବୁଝାଇବାରେ ସକ୍ଷମ ହୋଇଛନ୍ତି।
ଗାଙ୍ଗୁଲି ପ୍ରଥମେ ବିସିବକୁ ଏ ନେଇ ପ୍ରସ୍ତାବ ଦେଇଥିଲେ। ବାଂଲାଦେଶ ଖେଳାଳିମାନେ ଏହାକୁ ବିରୋଧ କରିଥିଲେ। ଏହାପରେ ଏକାଧିକ ବୈଠକ ବସିଥିଲା ଓ ଶେଷରେ ବିସିବି ଦିବାରାତ୍ର ଟେଷ୍ଟ ଖେଳିକୁ ରାଜି ହୋଇଥିଲା। ଏହା ଏକ ସକାରାତ୍ମକ ଅଗ୍ରଗତି। ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବୃଦ୍ଧି ପାଇଁ ଏବେ ଏହା ଜରୁରୀ ହୋଇପଡିଛି। ଏଥିପାଇଁ ଅଧିନାୟକ ବିରାଟ କୋହଲିଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଗାଙ୍ଗୁଲି କହିଛନ୍ତି।

ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ ଅବସରରେ ଦେଶର କିମ୍ବଦନ୍ତୀ ଖେଳାଳି ତଥା ଅଲିମ୍ପିଆନମାନଙ୍କୁ ସମର୍ଦ୍ଧିତ କରାଯିବ। ଦେଶର ଅଲିମ୍ପିକ୍‌ ବିପ୍ଳବରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଅଭିନବ ବିନ୍ଦ୍ରା, ଏମ୍‌ସି ମେରୀକମ ଓ ପି.ଭି. ସିନ୍ଧୁଙ୍କ ଭଳି ଖେଳାଳିଙ୍କ ସମ୍ମାନିତ କରାଯିବ। ପ୍ରତିବର୍ଷ ଦିବାରାତ୍ର ଟେଷ୍ଟ ଆୟୋଜନ କରାଯିବା ଉପରେ ଗାଙ୍ଗୁଲି ଗୁରୁତ୍ୱ ଦେଇଛନ୍ତି। ଉଲ୍ଲେଖଥାଉ କି, ପୂର୍ବରୁ ଭାରତୀୟ କ୍ରିକେଟରମାନେ ପିଙ୍କ୍‌ ବଲ୍‌ରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ବିରୋଧ କରିଆସୁଥିଲେ। ପୁରୁଣା ହେବା ପରେ ବଲ୍‌କୁ ଦେଖିବାରେ ସମସ୍ୟା ସୃଷ୍ଟି ହେଉଥିବାରୁ ଖେଳାଳିମାନେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପଛଘୁଞ୍ଚା ଦେଉଥିଲେ।

Share