ଇଣ୍ଟରନେଟ୍‌ର ଚମତ୍କାରିତା: ନିଖୋଜ ହେବାର ୪୦ ବର୍ଷ ପରେ ଘରକୁ ଫେରିଲେ ୯୪ ବର୍ଷୀୟା ବୃଦ୍ଧା

ଭୋପାଳ, ୨୦।୬- ଇଣ୍ଟରନେଟ୍‌ ସହିତ ଆଜିର ଯୁବ ପିଢ଼ି ପୁରା ଜଡ଼ିତ ହୋଇସାରିଛି। ଇଣ୍ଟରନେଟ୍‌ ଦ୍ୱାରା ଆମର କେତେବେଳେ ଉପକାର ହେଉଛିତ ପୁଣି ଅପକାର। କିନ୍ତୁ ବେଳେବେଳେ ଏହି ଇଣ୍ଟନେଟ୍‌ ଆମକୁ ଏଭଳି ସହାୟତା କରିଥାଏ, ଯାହାର ବିଶ୍ୱାସ ମଧ୍ୟ କରିହୁଏ ନାହିଁ। ଏଭଳି ଏକ ଘଟଣା ଏବେ ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି। ନିଖୋଜ ହେବାର ଦୀର୍ଘ ୪ ଦଶନ୍ଧି ପରେ ଜଣେ ୯୪ ବର୍ଷୀୟା ବୃଦ୍ଧା ଘରକୁ ଫେରିଛନ୍ତି। ୪୦ ବର୍ଷ ତଳେ ଏହି ବୃଦ୍ଧା ଜଣଙ୍କ ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ। କିନ୍ତୁ ୩ ଦିନ ତଳେ ସେ ନିଜ ଘରକୁ ଫେରି ନାତିକୁ ଦେଖିଥିଲେ। ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପୁଅ ୩ ବର୍ଷ ତଳୁ ମୃତ୍ୟୁବରଣ କରିସାରିଛି।
ଥିଲା ଏହିଭଳି। ୧୯୭୯-୮୦ରେ ପଞ୍ଚୁ ବାଇ ନାମକ ଏହି ମହିଳା ଜଣକ ମଧ୍ୟପ୍ରଦେଶର ଦାମୋହ ଜିଲାର ଏକ ରାସ୍ତାରେ ମୁର୍ମୁଷ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ସେତେବେଳେ ଜଣେ ଟ୍ରକ ଡ୍ରାଇଭର ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେ ତାଙ୍କୁ ଘରକୁ ନେଇଯାଇଥିବାବେଳେ ସେଠାରେ ଟ୍ରକ ଡ୍ରାଇଭରଙ୍କ ପୁଅ ଇସ୍‌ରାର ଖାନ ପଞ୍ଚୁଙ୍କ ସେବା କରିଥିଲେ। ପରମୁହୂର୍ତ୍ତରେ ଇସ୍‌ରାର ତାଙ୍କୁ ଘର ଠିକଣା ପଚାରିଥିଲେ ମଧ୍ୟ ସେ କିଛି କହିପାରି ନ ଥିଲେ। ଏହାପରେ ଇସ୍‌ରାର ଫେସ୍‌ବୁକରେ ଏହି ଘଟଣା ଶେୟାର କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଏମିତି ବହୁବର୍ଷ ପରେ ହଠାତ୍‌ ଦିନେ ଘର ଠିକଣା ପଚାରୁ ପଚାରୁ ପଞ୍ଚୁ ପାରସପୁର ନାମ ନେଇଥିଲେ। ଇସ୍‌ରାର ଗୁଗ୍‌ଲରେ ପାରସପୁର ସର୍ଚ୍ଚ କରିବା ପରେ ମହାରାଷ୍ଟ୍ରରେ ଏଭଳି ଏକ ଅଞ୍ଚଳ ଥିବା ଜାଣିବାକୁ ପାଇଥିଲେ। ଗତ ମେ ୭ରେ ସେ ପାରସପୁରର ଅଭିଷେକ ନାମକ ଜଣେ ଦୋକାନୀଙ୍କ ସହ ଯୋଗଯୋଗ କରି ବୃଦ୍ଧାଙ୍କ ବିଷୟରେ ସମ୍ପୂର୍ଣ୍ଣ କହିଥିଲେ। ଏହାପରେ ବୃଦ୍ଧାଙ୍କ ଏକ ଭିଡିଓ ମଧ୍ୟ ଅଭିଷେକଙ୍କୁ ଦେଇଥିଲେ। ଅଭିଷେକ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ହ୍ବାଟ୍‌ସପ୍‌ ଏହି ଭିଡିଓ ଶେୟାର କରିଥିଲେ। ଶେଷରେ ଅଭିଷେକଙ୍କ ପାଖକୁ ବୃଦ୍ଧାଙ୍କ ସମ୍ପର୍କୀୟ ଫୋନ କରି ସମସ୍ତ ବିଷୟ ଜାଣିପାରିଥିଲେ। କିନ୍ତୁ ସେତେବେଳେ ଲକ୍‌ ଡାଉନ ଯୋଗୁ ବୃଦ୍ଧାଙ୍କୁ ଘରକୁ ନେବା ସମ୍ପର୍କୀୟଙ୍କ ପକ୍ଷେ ସମ୍ବବପର ହୋଇ ନ ଥିଲା। ଶେଷରେ ଜୁନ୍‌ ୧୭ରେ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ବୃଦ୍ଧା ଜଣଙ୍କ ନିଜ ଘରକୁ ଫେରିପାରିଥିଲେ।

Share