Categories: ଜାତୀୟ

ଇଣ୍ଟରପୋଲ ଅଧିବେଶନ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ,୨୦ା୧୦(ପି.ଟି.): ୨୦୨୨ରେ ଇଣ୍ଟରପୋଲ୍‌ର ୯୧ତମ ସାଧାରଣ ଅଧିବେଶନ ଭାରତ ଆୟୋଜନ କରିବ। ଅଗଷ୍ଟ ୩୦ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଇଣ୍ଟରପୋଲ୍‌ ମହାସଚିବ ଜୁରଗେନ୍‌ ଷ୍ଟକ୍‌ଙ୍କ ନିକଟରେ ଏନେଇ ପ୍ରସ୍ତାବ ରଖିଥିଲେ। ପ୍ରସ୍ତାବକୁ ଅନ୍ତର୍ଜାତୀୟ ପୋଲିସ ସଂସ୍ଥାର ସଦସ୍ୟ ରାଷ୍ଟ୍ରମାନେ ବିପୁଳ ସମର୍ଥନ ଜଣାଇଛନ୍ତି। ସିବିଆଇ ନିର୍ଦ୍ଦେଶକ ଋଷି କୁମାର ଶୁକ୍ଳା ମଧ୍ୟ ଚିଲିର ସାଣ୍ଟିଆଗୋଠାରେ ଅନୁଷ୍ଠିତ ୮୮ତମ ସାଧାରଣ ସଭାରେ ପ୍ରସ୍ତାବ ରଖିଥିଲେ। ତାଙ୍କ ସହ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଓ ମଧ୍ୟପ୍ରଦେଶ ପୋଲିସ ମୁଖ୍ୟ ଭି.କେ. ସିଂ ସାଧାରଣ ଅଧିବେଶନକୁ ଯାଇଥିଲେ। ପ୍ରସ୍ତାବ ଉପରେ ଇଣ୍ଟରପୋଲ୍‌ର ୧୯୦ଟି ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଭୋଟ ହୋଇଥିଲା ଓ ସଂଖ୍ୟାଗରିଷ୍ଠ ଭୋଟରେ ଗୃହୀତ ହୋଇଥିଲା ବୋଲି ଏହାର ମୁଖପାତ୍ର ନୀତିନ ଓ୍ବାକନ୍‌କର କହିଛନ୍ତି। ୨୦୨୨ରେ ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ କରିବାକୁ ଯାଉଥିଲାବେଳେ ଇଣ୍ଟରପୋଲର ୯୧ତମ ଅଧିବେଶନ ଲାଗି ବିଭିନ୍ନ ଦେଶର ପୋଲିସ ଉଚ୍ଚ ପଦାଧିକାରୀମାନେ ଯୋଗଦେବେ। ୧୯୯୭ରେ ଭାରତ ଇଣ୍ଟରପୋଲ୍‌ର ସାଧାରଣ ଅଧିବେଶନ ଆୟୋଜନ କରିଥିଲା।

Share