Categories: ଫୁରସତ

ଇଣ୍ଟର୍‌ନ୍ୟାଶନାଲ ସ୍ପେସ୍‌ ସେଣ୍ଟରରେ ପହଞ୍ଚିଲା ହ୍ୟୁମାନୋଏଡ୍‌ ରୋବୋ

ଓ୍ବାଶିଂଟନ: ରୁଷିଆର ପ୍ରଥମ ରୋବୋକୁ ନେଇ ଯାଇଥିବା ସୋୟୁଜ ଯାନ ନିର୍ଦ୍ଧାରିତ ସମୟର ବିଳମ୍ବରେ ହେଉ ପଛେ ସଫଳତାର ସହ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌( ଆଇଏସ୍‌ଏସ୍‌)ରେ ଅବତରଣ କରିଛି। ଏହାର ସଞ୍ଚାଳନ ପ୍ରଣାଳୀରେ କିଛି ତ୍ରୁଟି ଦେଖାଦେଇଥିବାରୁ ଅବତରଣରେ ବିଳମ୍ବ ହୋଇଛି। ତ୍ରୁଟି ଦେଖାଦେବା ସମୟରେ ସୋୟୁଜ ଆଇଏସ୍‌ଏସ୍‌ଠାରୁ ୯୬ କିଲୋମିଟର ଦୂରରେ ରହିଥିଲା। କୌଣସି ହ୍ୟୁମାନୋଏଡ୍‌ ରୋବୋ ଆଇଏସ୍‌ଏସ୍‌କୁ ଯିବା ବିଶ୍ୱରେ ପ୍ରଥମ। ଏହି ରୋବୋର ନାମ ଫେଡର୍‌। ଏହା ୧୪ ଦିନ ଯାଏ ଆଇଏସ୍‌ଏସ୍‌ରେ ରହିବ । ପୃଥିବୀକୁ ପରିକ୍ରମଣ କରୁଥିବା ଆଇଏସ୍‌ଏସ୍‌କୁ ବହୁବାର ସୋୟୁଜ ଯାନ ମହାକାଶଚାରୀଙ୍କୁ ନେଇ ଯାଇଛି, କିନ୍ତୁ ଏଥର ରୋବୋ ନେଇ ଯାଇଥିଲା। ସୋୟୁଜର ପାଇଲଟ ସିଟ୍‌ରେ ରୋବୋ ଫେଡର୍‌କୁ ବସାଯାଇଥିଲା। ତା’ସାଙ୍ଗରେ ରୁଷିଆର ପତାକା ବି ଥିଲା। ଏହାର ଉଚ୍ଚତା ୫ଫୁଟ୍‌ ୧୧ ଇଞ୍ଚ ଓ ଓଜନ ୧୬୦ କିଲୋଗ୍ରାମ୍‌। ଏହି ରୋବୋର ଟୁଇଟର୍‌ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ରହିଛି। ଏହା ସ୍ପେସ୍‌ ଷ୍ଟେଶନ୍‌ରେ ନିମ୍ନ ମାଧ୍ୟାକର୍ଷଣ ଶକ୍ତିରେ ନୂଆ ଟେକ୍‌ନିକ ଉପରେ ପରୀକ୍ଷା କରିବ। ଏହା ବି ମଣିଷର କାର୍ଯ୍ୟକଳାପକୁ ନକଲ କରିପାରୁଛି। ଏହାପୂର୍ବରୁ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ୨୦୧୧ରେ ରୋବୋନଟ୍‌-୨ ଓ ଜାପାନ ୨୦୧୩ରେ କିରୋବ ନାମକ ରୋବୋ ଆଇଏସ୍‌ଏସ୍‌କୁ ପଠାଇସାରିଛି। ଜାପାନର ପ୍ରଥମ ମହାକାଶଚାରୀ ଏହାକୁ ସାଙ୍ଗରେ ନେଇ ମହାକାଶକୁ ଯାଇଥିଲେ।

Share