ଇଣ୍ଡିଆନ୍‌ ଅଏଲ, ଘାନାର ଏନ୍‌ପିଏ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଭାରତ ଏବଂ ଘାନା ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ଗୋଟିଏ ପାଦ ଆଗକୁ ବଢାଇଛନ୍ତି। ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବୁଧବାର ଇଣ୍ଡିଆନ୍‌ ଅଏଲ ଏବଂ ଘାନାର ଜାତୀୟ ପେଟ୍ରୋଲିୟମ ପ୍ରାଧିକରଣ(ଏନ୍‌ପିଏ) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଛି। ଇଣ୍ଡିଆନ୍‌ ଅଏଲର ଏଲପିଜି ପରିଚାଳନା ମୁଖ୍ୟ ଅଧିକାରୀ ଏଲ୍‌କେଏସ ଚୌହ୍ବାନ ଏବଂ ଘାନା ଏନପିଏର କାର୍ଯ୍ୟକାରୀ ମୁଖ୍ୟ ସୁଲେମାନା ତାମପୁଲିଙ୍କ ମଧ୍ୟରେ ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ପେଟ୍ରୋଲିୟମ ବିଶେଷ ଭାବେ ଏଲପିଜି କ୍ଷେତ୍ରକୁ ମଜଭୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ର ସରକାର ଦେଶରେ ଏଲପିଜି ନେଟ୍‌ୱର୍କର ସମ୍ପ୍ରସାରଣ କରି ଦେଶର ନାଗରିକଙ୍କୁ ସ୍ବଚ୍ଛ ଊର୍ଜା ପ୍ରଦାନ କରୁଛନ୍ତି। ଏହି କ୍ଷେତ୍ରରେ ଘାନା ନିଜ ଉପାୟରେ ଘରୋଇ, ବାଣିଜି୍ୟକ ଏବଂ ଶିଳ୍ପରେ ସୁରକ୍ଷିତ, ସ୍ବଚ୍ଛ ଏବଂ ପରିବେଶ ସହଯୋଗୀ ଏଲପିଜିର ବ୍ୟବହାର କରି ଏହାର ଚାହିଦାକୁ ବଢାଇବା ପାଇଁ ଭାରତକୁ ସହାୟତା କରିବା ନିମନ୍ତେ ଇଚ୍ଛାପ୍ରକାଶ କରିଥିଲା। ଏହି ବୁଝାମଣା ପତ୍ର ଦ୍ୱାରା ଭାରତ ଏବଂ ଘାନାର ରାଷ୍ଟ୍ରୀୟ ଏଲପିଜି ପ୍ରମୋଶନ ପଲିସିର କାର୍ଯ୍ୟାନ୍ବୟନ କ୍ଷେତ୍ରରେ ସାହାଯ୍ୟ କରିବ। ଏହି ଚୁକ୍ତି ସ୍ବାକ୍ଷରିତ ହେବା ଦ୍ୱାରା ଇଣ୍ଡିଆନ୍‌ ଅଏଲ ବିଭିନ୍ନ ଉପାୟରେ ଯଥା ଏଲପିଜି ବଟଲିଂ ପ୍ଲାଣ୍ଟ, ମୂଲ୍ୟ ନିର୍ଦ୍ଧାରଣ, ଲାଇସେନ୍ସ ଘାନାରେ ସ୍ବାସ୍ଥ୍ୟର ବିକାଶ ଏବଂ ପରିବେଶକୁ ସୁରକ୍ଷା ରଖିବାରେ ସହଯୋଗ କରିବ। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଏମ୍‌ଓୟୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ସ୍ବଚ୍ଛ ଊର୍ଜା ପ୍ରଦାନ କରିବା ଦିଗରେ ଏକ ସଙ୍କେତକୁ ସୂଚାଉଛି।

Share