ଇଣ୍ଡିଆନ୍‌ ଆଇଡଲ୍‌ ଜିତିବା ବଦଳାଇଲା ଭାଗ୍ୟ: ସନିଙ୍କୁ ମିଳିଲା ଟି-ସିରିଜ୍‌ ସହ କାମ କରିବାର ସୁଯୋଗ

ବମ୍ବେ: ଗରିବ ପରିବାରରୁ ଆସିବା ସତ୍ତ୍ୱେ ଜୀବନରେ ଉଚ୍ଚ ଆଶା ରଖିଥିଲେ ଇଣ୍ଡିଆନ୍‌ ଆଇଡଲ୍‌ ବିଜେତା ସନି ହିନ୍ଦୁସ୍ତାନୀ। ସନିଙ୍କ ପିତା ଜୋତା ପଲିସ୍‌ କରୁଥିବା ବେଳେ ମା’ ବେଲୁନ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଏବେ ଅନେକ କିଛି ବଦଳିଛି। ସିଙ୍ଗିଂର ବଡ ରିଆଲିଟି ଶୋ’କୁ ଜିତିଛନ୍ତି ସନି। ଏବେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଗୀତ ଗାଇବାର ଅଫର ମିଳିବାରେ ଲାଗିଛି।

ଶୋ’ରେ ପ୍ରତିଯୋଗୀ ଥିବା ସମୟରେ ତାଙ୍କୁ ଏକ ଗୀତ ପାଇଁ ସାଇନ୍‌ କରାଯାଇଥିଲା। ସେହିଭଳି ଟି-ସିରିଜ ମୁଖ୍ୟ ଭୂଷଣ କୁମାର ସନିଙ୍କୁ ଟ୍ରଫି ପ୍ରଦାନ କରିଥିବା ପୋଷ୍ଟ ସହ ଏକ ନୂଆ ଘୋଷଣା କରିଛନ୍ତି। ସେଇଟି ହେଉଛି ଟି-ସିରିଜର ଆଗାମୀ ଗୀତରେ ସନିଙ୍କୁ ଗାଇବାର ସୁଯୋଗ ଦିଆଯିବ। ସନିଙ୍କ ସହ କାମ କରିବା ଆନନ୍ଦ ଦେବ ବୋଲି ସେ ଟୁଇଟ୍‌ରେ କହିଛନ୍ତି।

ଚଳିତ ଥର ଇଣ୍ଡିଆନ୍‌ ଆଇଡଲ୍‌ର ୧୧ଶ ସିଜନ ରହିଥିଲା। ଆରମ୍ଭ ହେବା ଦିନରୁ ଏହା ଚର୍ଚ୍ଚାରେ ରହୁଥିଲା। ଶୋ’ ହୋଷ୍ଟ ଆଦିତ୍ୟଙ୍କ ସହ ବିଚାରପତି ଥିବା ନେହାଙ୍କ ବିବାହ ଏବଂ ପ୍ରତିଯୋଗୀଙ୍କ ସୁମଧୁର କଣ୍ଠ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

Share