ଇଣ୍ଡିଆନ୍‌ ଆଇଡଲ୍‌ ୧୧ରେ ଓଡିଆ ଝିଅ ଚେଲ୍‌ସି

ଭୁବନେଶ୍ୱର:ପୁଣି ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ଆସିବେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଚେଲ୍‌ସି ଭାଗ ନେଇଛନ୍ତି। ଏହି ଶୋ’ର ଏକ ଭିଡିଓରେ ଚେଲ୍‌ସିଙ୍କ ଝଲକ୍‌ ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ଇଶକ୍‌ଜାଦେ ଫିଲ୍ମର ‘ମେଁ ପରେଶାନ’ ଗୀତ ଗାଉଥିବାର ଦେଖାଯାଉଛି। ତାଙ୍କ ଗୀତକୁ ଜଜ୍‌ମାନେ ପ୍ରଶଂସା କରିବା ସହିତ ବିଶାଲ ଦଦ୍‌ଲାନୀ ଚେଲ୍‌ସିଙ୍କୁ ‘ଫ୍ୟୁଚର୍‌ ଷ୍ଟାର’ ବୋଲି କହିଛନ୍ତି। ତେବେ ଚେଲ୍‌ସି ପୂର୍ବରୁ ମଧ୍ୟ ଜାତୀୟସ୍ତରୀୟ ପ୍ଲାଟ୍‌ଫର୍ମରେ ଅଂଶଗ୍ରହଣ କରି ଦର୍ଶକଙ୍କ ଭଲପାଇବା ସାଉଁଟିଛନ୍ତି। ମ୍ୟୁଜିକ୍‌ ରିଆଲିଟି ଶୋ’ ରାଇଜିଂ ଷ୍ଟାର୍‌ ଓ ଇଣ୍ଡିଆନ୍‌ ଆଇଡଲ୍‌ରେ ସେ ଶିଶୁ କଳାକାର ଭାବେ ଭାଗ ନେଇଥିଲେ। ରାଇଜିଂ ଷ୍ଟାରରେ ସେ ଟପ୍‌-୧୧ ପର୍ଯ୍ୟନ୍ତ ଯାଇଥିଲେ। ଏବେ ପୁଣିଥରେ ସାରା ଓଡ଼ିଶାକୁ ଗର୍ବିତ କରିବା ପାଇଁ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଆସୁଛନ୍ତି ଚେଲ୍‌ସି। ଏଥର ଆରମ୍ଭରୁ ଏତେ ଭଲ ପ୍ରଦର୍ଶନ କରିଛନ୍ତି ଯେ ଆଗକୁ ଆହୁରି ଭଲ କରିବେ ବୋଲି କୁହଯାଉଛି। ସୂଚନାଯୋଗ୍ୟ, ଆସନ୍ତା ୧୨ତାରିଖରେ ଇଣ୍ଡିଆନ୍‌ ଆଇଡଲ୍‌-୧୧ ଶୋ’ ଆରମ୍ଭ ହେବାକୁ ଯାଉଛି। ଏନେଇ ଚ୍ୟାନେଲ୍‌ ବିଭିନ୍ନ ପ୍ରତିଯୋଗୀଙ୍କ ଉତ୍ତମ ପ୍ରଦର୍ଶନର ଛୋଟ ଛୋଟ ଭିଡିଓ କ୍ଲିପ୍ସ ସୋସିଆଲ୍‌ ମିଡିଆରେ ଛାଡ଼ି କାର୍ଯ୍ୟକ୍ରମର ଆରମ୍ଭ ସମ୍ପର୍କରେ ସୂଚନା ଦେଉଛି।

Share