Categories: ଖେଳ

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌: ଲଢ଼େଇ କରି ହାରିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୩୦।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସିଜନର ୬୯ତମ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୪-୨ ଗୋଲରେ ଘରୋଇ ଓଡ଼ିଶା ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ୦-୩ରେ ପଛୁଆ ରହିଥିବା ଓଡ଼ିଶା କିନ୍ତୁ ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ଲଢ଼େଇ କରିଥିଲେ ମଧ୍ୟ ପରାଜୟରୁ ବର୍ତ୍ତି ପାରି ନ ଥିଲା। ୧୫ତମ ମ୍ୟାଚ୍‌ରୁ ୯ମ ବିଜୟ ସହ ଭ୍ରମଣକାରୀ ଏଫ୍‌ସି ଗୋଆ ୩୦ ପଏଣ୍ଟ ପାଇ ଟେବୁଲ ତାଲିକାର ଶୀର୍ଷ ସ୍ଥାନକୁ ଫେରିଛି। ଅପରପକ୍ଷରେ ଓଡ଼ିଶା ୧୫ ମ୍ୟାଚ୍‌ରୁ ୬ ଲେଖାଏ ବିଜୟ ଓ ପରାଜୟ ଏବଂ ୩ଟି ଡ୍ର ସହ ୨୧ ପଏଣ୍ଟରେ ପୂର୍ବବତ୍‌ ୪ର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି। ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟରେ ରହିଥିବା ଓଡ଼ିଶା ପରବର୍ତ୍ତି ପର୍ଯ୍ୟାୟରେ ମୁମ୍ବାଇ ସିଟି (୨୦ ପଏଣ୍ଟ) ଓ ଚେନ୍ନାଇନ୍‌ ଏଫ୍‌ସି (୧୮) ସହ କଡ଼ା ସଂଘର୍ଷ କରିବାର ସମ୍ଭାବନା ରହିଛି।
ପ୍ରଥମାର୍ଦ୍ଧରେ ଗୋଆ ପଲା ଭାରି:
ବୁଧବାର ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଗୋଆ ୩ଟି ଗୋଲସ୍କୋର ସହ ପ୍ରଭାବ ବିସ୍ତାର କରି ଖେଳିଥିଲା। ପ୍ରାରମ୍ଭରୁ ଗୋଆ ପାଖାପାଖି ଅଧା ଡଜନ ପେନାଲ୍ଟି କର୍ନର ସୁଯୋଗ ପାଇଥିଲେ ମଧ୍ୟ ଗୋଟିଏ ହେଲେ ଗୋଲରେ ରୂପାନ୍ତରିତ କରିପାରି ନ ଥିଲା। ଏହାପରେ ୭ ମିନିଟ୍‌ ଅନ୍ତରରେ ଗୋଆ ୩ଟି ଗୋଲ ଦେଇ ଓଡ଼ିଶାକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା। ୨୧ତମ ମିନିଟ୍‌ରେ ‘ଡି’ ବାହାରେ ଓଡ଼ିଶା ଏଫ୍‌ସି ଖେଳାଳିଙ୍କ ଫାଉଲ ଯୋଗୁ ଗୋଆକୁ ଫ୍ରି-କିକ୍‌ ମିଳିଥିଲା। ଏଡୁ ବେଡିଆଙ୍କ ଏହି ଫ୍ରି-କିକ୍‌ ଓଡ଼ିଶା ଦଳର ପ୍ରମୁଖ ଖେଳାଳି ଭିନିତ ରାଇଙ୍କ ଦେହରେ ବାଜି ଗୋଲପୋଷ୍ଟ ମଧ୍ୟକୁ ଚାଲିଯାଇଥିଲା। ଫଳରେ ଭିନିତଙ୍କ ଆତ୍ମଘାତୀ ଗୋଲ ବଳରେ ଗୋଆ ୧-୦ରେ ଅଗ୍ରଣୀ ଲାଭ କରିଥିଲା। ଏହାପରେ ଗୋଆର ୧୨ ନମ୍ବର ଜର୍ସି ପରିଧାନ କରିଥିବା ଜ୍ୟାକ୍‌ଚାନ୍ଦ ସିଂ (୨୪ତମ ଓ ୨୭ତମ)ଲଗାତର ୨ଟି ଗୋଲ ଦେଇ ଭ୍ରମଣକାରୀ ଦଳକୁ ୩-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଓଡ଼ିଶା ପାଇଁ ପ୍ରଥମ ମ୍ୟାଚ୍‌ ଖେଳୁଥିବା ମାନୁଏଲ ଓନୁ ୩୨ତମ ମିନିଟ୍‌ରେ ଗୋଲ ଦେଇଥିଲେ ମଧ୍ୟ ରେଫରି ଏହାକୁ ଅଫ୍‌ ସାଇଡ୍‌ ଘୋଷଣା କରିଥିଲେ।
ମାନୁଏଲ୍‌ଙ୍କ ଡବଲ ଗୋଲ୍‌
୩-୦ ଗୋଲରେ ପଛୁଆ ରହିଥିବା ଓଡ଼ିଶା କିନ୍ତୁ ଦ୍ୱିତୀୟାର୍ଦ୍ଧ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଆରିଡାନେ ସାଣ୍ଟାନାଙ୍କ ବଦଳରେ ଲୋନ୍‌ରେ ଆସିଥିବା ସ୍ପାନିଶ ଫର୍‌ଓ୍ବାର୍ଡ ମାନୁଏଲ୍‌ ଓନୁ ଓଡ଼ିଶା ପାଇଁ ୬ ମିନିଟ୍‌ ଅନ୍ତରରେ ୨ଟି ଗୋଲ ଦେଇ ଓଡ଼ିଶା ଶିବିରରେ ଆଶା ସଞ୍ଚାର କରିଥିଲେ। ମାନୁଏଲ୍‌ ୫୯ତମ ଓ ୬୫ତମ ମିନିଟ୍‌ରେ ଏହି ଦୁଇଟି ଗୋଲ ଦେଇଥିଲେ। ଏହାପରେ ନିର୍ଦ୍ଧାରିତ ସମୟରେ ଆଉ କୌଣସି ଗୋଲ ହୋଇ ନ ଥିଲା। ତେବେ ଅତିରିକ୍ତ ସମୟର ପ୍ରଥମ ମିନିଟ୍‌ରେ ଫେରାନ୍‌ କୋରିମିନାସ (୯୦+୧)ଙ୍କ ଗୋଲ ବଳରେ ଗୋଆ ୪-୨ରେ ବିଜୟୀ ହୋଇଥିଲା।

Share