Categories: ଖେଳ

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ : ଶୀର୍ଷକୁ ଉଠିଲା ଏଟିକେ

କୋଲକାତା, ୧୯।୧ (ପି.ଟି.)- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଏଟିକେ ୨-୦ ଗୋଲରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ସ୍ଥାନୀୟ ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧ ପ୍ରାରମ୍ଭରୁ ପ୍ରୀତମ୍‌ କୋଟାଲ (୪୭ତମ ମିନିଟ୍‌)ଙ୍କ ହେଡ୍‌ ବଳରେ ଘରୋଇ ଦଳ ୧-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ଏହାପରେ ମ୍ୟାଚ୍‌ ଶେଷ ହେବାକୁ ଆଉ ୨ ମିନିଟ୍‌ ରହିଥିବାବେଳେ ଜୟେସ ରାନେ (୮୮ତମ) ଆଉ ଏକ ଗୋଲଦେଇ ଏଟିକେକୁ ୨-୦ ଗୋଲରେ ଜିତାଇଥିଲେ। ଚଳିତ ସିଜନରେ ଅନୁଷ୍ଠିତ ପ୍ରଥମ ଲେଗ୍‌ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୨-୧ ଗୋଲରେ ଏଟିକେକୁ ପରାସ୍ତ କରିଥିଲା। ତେଣୁ ଏହି ବିଜୟ ସହ ଏଟିକେ ପ୍ରତିଶୋଧ ନେଇଛି। ତ୍ରୟୋଦଶ ମ୍ୟାଚ୍‌ରୁ ୭ମ ବିଜୟ ସହ ଏଟିକେ ୨୪ ପଏଣ୍ଟ ପାଇ ଟେବୁଲ ଶୀର୍ଷକୁ ଉଠିଛି। ସେହି ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ଗୋଆ ୨୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ ବ୍ୟବଧାନ ଦୃଷ୍ଟିରୁ ୨ୟ ସ୍ଥାନରେ ରହିଛି।

Share