Categories: ଖେଳ

ଇଣ୍ଡିଆନ ଓମେନ୍ସ ଲିଗ୍‌: ଅଂଶଗ୍ରହଣ ପାଇଁ ୧୦୦ରୁ ଊର୍ଦ୍ଧ୍ୱ କ୍ଲବ ଆଗ୍ରହୀ

ନୂଆଦିଲ୍ଲୀ, ୧୦ା୧୨ (ପି.ଟି.)- ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଅଂଶଗ୍ରହଣ ଲାଗି ୧୦୦ରୁ ଊର୍ଦ୍ଧ୍ୱ କ୍ଲବ ଆଗ୍ରହ ପ୍ରକାଶ କରିଛନ୍ତି। ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫଏଫ୍‌)ର କାର୍ଯ୍ୟନିର୍ବାହୀ କମିଟି ଏ ବିଷୟରେ ସୂଚନା ଦେଇଛି। ମଙ୍ଗଳବାର ଏଠାରେ ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ବୈଠକ ଏହାର ସଭାପତି ପ୍ରଫୁଲ ପଟେଲଙ୍କ ଅଧ୍ୟକ୍ଷତାରେ ବସିଥିଲା। ହିରୋ ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଖେଳିବା ଲାଗି ୧୪ଟି ରାଜ୍ୟରୁ ୧୦୮ଟି କ୍ଲବ ଖେଳିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ମ୍ୟାଚ ସଂଖ୍ୟା ବୃଦ୍ଧି କରିବା ଆମର ଲକ୍ଷ୍ୟ ବୋଲି ଆଇ-ଲିଗ୍‌ ସିଇଓ ସୁନନ୍ଦୋ ଧର୍‌ ପ୍ରକାଶ କରିଛନ୍ତି। ଦ୍ୱିତୀୟ ଡିଭିଜନ ଲିଗ୍‌ରେ ୨୦ଟି ଦଳ ଭାଗ ନେବେ। ଏହା ଜାନୁୟାରୀରୁ ମେ ମାସ ପର୍ଯ୍ୟନ୍ତ ଚାଲିବ। ହିରୋ ସନ୍ତୋଷ ଟ୍ରଫି ପାଇଁ ଏଥିରେ ମଧ୍ୟାନ୍ତର ରହିବ। ଧର ସୂଚନା ଦେଇ କହିଛନ୍ତି, ଏଏଫ୍‌ସି କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଗୃହୀତ ନିୟମ ଅନୁସାରେ ୨୦୧୯-୨୦ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ର ବିଜେତା ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ୨୦୨୧ରେ ସିଧାସଳଖ ସ୍ଥାନ ପାଇବ। ଅନ୍ୟପକ୍ଷ୍ୟରେ ୨୦୧୯-୨୦ ଆଇ-ଲିଗ୍‌ ଚାମ୍ପିୟନ ଏଏଫ୍‌ସି କପ୍‌ ୨୦୨୧ ପାଇଁ ଯୋଗ୍ୟତା ଅର୍ଜନ କରିବ। ନେପାଳରେ ଅନୁଷ୍ଠିତ ସାଉଥ୍‌ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ସିନିୟର ମହିଳା ଦଳ ଏବଂ ଅର୍ଜୁନ ପୁରସ୍କାର ବିଜେତା ଗୁର୍‌ପ୍ରୀତ ସିଂ ସାନ୍ଧୁଙ୍କୁ କମିଟି ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଭାରତରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋର୍‌ଦାର ଚାଲିଛି। ଖେଳାଳିମାନେ ନୂଆ ମୁଖ୍ୟ କୋଚ୍‌ ଥୋମାସ ଡେନର୍ବିଙ୍କ ଅଧୀନରେ ଟ୍ରେନିଂ ନେଉଥିବା ଧର ପ୍ରକାଶ କରିଛନ୍ତି।

Share