Categories: ଖେଳ

ଇଣ୍ଡିଆନ ସୁପର୍‌ ଲିଗ୍‌: ଘରୋଇ ଗ୍ରାଉଣ୍ଡରେ ୨ୟ ବିଜୟ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର, ୬।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ୬ଷ୍ଠ ସଂସ୍କରଣର ଏକ ମୁକାବିଲାରେ ସୋମବାର ଘରୋଇ ଓଡ଼ିଶା ଏଫ୍‌ସି ୨ଥରର ଚାମ୍ପିୟନ ଚେନ୍ନାଇନ ଏଫ୍‌ସିକୁ ଭେଟିବାକୁ ଯାଉଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଚଳିତ ସିଜନରେ ଆଇଏସ୍‌ଏଲ୍‌ ପଦାର୍ପଣ କରିଥିବା ଭୁବନେଶ୍ୱର ଭିତ୍ତିକ ଏହି ଦଳ ଘରୋଇ ଗ୍ରାଉଣ୍ଡରେ ଏହା ୨ୟ ମୁକାବିଲା ହେବ। ପୂର୍ବରୁ ଓଡ଼ିଶା ଏଫ୍‌ସି ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିକୁ ୨-୧ ଗୋଲରେ ପରାସ୍ତ କରିଥିଲା। ତେଣୁ ସୋମବାର ଖେଳାଯିବାକୁ ଥିବା ମ୍ୟାଚକୁ ଜିତି ଜୋସେଫ୍‌ ଗୋମ୍ବାଉଙ୍କ ପ୍ରଶିକ୍ଷଣ ପ୍ରାପ୍ତ ଓଡ଼ିଶା ଘରୋଇ ଗ୍ରାଉଣ୍ଡରେ ୨ୟ ବିଜୟ ସହ ପଏଣ୍ଟ ଟେବୁଲର ଟପ୍‌-୪ର ନିକଟତର ହେବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ଚେନ୍ନାଇନ୍‌ ମଧ୍ୟ ମ୍ୟାଚ୍‌ରୁ ପୂରା ୩ ପଏଣ୍ଟ ହାସଲ କରି ଓଡ଼ିଶା ସହ ମିଳିତ ଭାବେ ୬ଷ୍ଠ ସ୍ଥାନରେ ରହିବା ଲକ୍ଷ୍ୟରେ ରହିଛି।
ବର୍ତ୍ତମାନ ୧୦ ମ୍ୟାଚ୍‌ରୁ ୪ ପରାଜୟ ଏବଂ ୩ଟି ଲେଖାଏ ବିଜୟ ଓ ଡ୍ର ସହ ୧୨ ପଏଣ୍ଟ ପାଇ ଟେବୁଲ ତାଲିକାର ୬ଷ୍ଠ ସ୍ଥାନରେ ରହିଛି। ଯଦି ଚେନ୍ନାଇନ ବିପକ୍ଷରେ ଦଳ ବିଜୟ ହାସଲ କରେ ତେବେ ୧୫ ପଏଣ୍ଟ ସହ ମୁମ୍ବାଇ ସିଟି ଏଫ୍‌ସି (୧୬) ପଛକୁ ୫ମ ସ୍ଥାନରେ ରହିବ। ଓଡ଼ିଶା ଏହାର ପୂର୍ବ ମୁକାବିଲାରେ ଘରୋଇ ଗ୍ରାଉଣ୍ଡରେ ଜାମସେଦପୁରକୁ ପରାସ୍ତ କରିଥିବାରୁ ସମସ୍ତ ଖେଳାଳିଙ୍କ ମନୋବଳ ବେଶ୍‌ ଉଚ୍ଚରେ ରହିଛି। ଗୋମ୍ବାଉଙ୍କ ଦଳ ଏହି ଫର୍ମକୁ ଚେନ୍ନାଇନ ବିପକ୍ଷରେ ବଜାୟ ରଖିବାକୁ ଉଦ୍ୟମ କରିବ। ଦ୍ୱିତୀୟାର୍ଦ୍ଧରେ ଗୋଲସ୍କୋରିଂ କରିବାର ଦୁର୍ବଳତାକୁ ମଧ୍ୟ ଓଡ଼ିଶା ଏଡ଼ାଇବା ଲକ୍ଷ୍ୟରେ ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପ୍ରତିଯୋଗିତାରେ ମୋଟ୍‌ ୧୩ ଗୋଲ କରିଥିବାବେଳେ ସେଥିରୁ ଦ୍ୱିତୀୟାର୍ଦ୍ଧରେ ମାତ୍ର ୫ଟି ରହିଛି। ପ୍ରଥମାର୍ଦ୍ଧ ଭଳି ଦ୍ୱିତୀୟାର୍ଦ୍ଧରେ ଦଳ ବିଶେଷ ସଫଳ ହୋଇନି। ଅପରପକ୍ଷରେ ୨୦୧୫-୧୬ ଓ ୨୦୧୭-୧୮ ସଂସ୍କରଣ ଚାମ୍ପିୟନ ଚେନ୍ନାଇନର ପ୍ରଦର୍ଶନ ଚଳିତ ସିଜନରେ ବେଶ୍‌ ନୈରାଶ୍ୟଜନକ ରହିଛି। ଓଓ୍ବେନ କୋଏଲଙ୍କ ପ୍ରଶିକ୍ଷଣ ପ୍ରାପ୍ତ ଚେନ୍ନାଇନ ୯ ମ୍ୟାଚ୍‌ ଖେଳି ମାତ୍ର ୨ଟି ଜିତିଛି। ଗତ ୩ଟି ମ୍ୟାଚ୍‌ରେ ୪ ଗୋଲସ୍କୋର କରିଥିବା ବ୍ରାଜିଲିଆନ ଷ୍ଟ୍ରାଇକର୍‌ ରାଫେଲ କ୍ରିଭେଲାରୋଙ୍କଠାରୁ ଦଳ ଏଥର ମଧ୍ୟ ପ୍ରଭାବୀ ପ୍ରଦର୍ଶନ ଆଶା ରଖିଛି। ଚଳିତ ସିଜନରେ ବାହାର ପଡ଼ିଆରେ ଗୋଟିଏ ହେଲେ ମ୍ୟାଚ୍‌ ଜିତି ନ ଥିବା ଚେନ୍ନାଇନ ପ୍ରଥମ ବିଜୟ ସନ୍ଧାନରେ ରହିଛି।

Share