Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ଏଟିକେର ବୃହତ୍‌ ବିଜୟ

କୋଲକାତା,୨୬।୧୦(ପି.ଟି.): ଚଳିତ ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗ(ଆଇଏସ୍‌ଏଲ୍‌)ର ଷଷ୍ଠ ମ୍ୟାଚରେ ଘରୋଇ ଏଟିକେ ଏଫସି ଏକ ବୃହତ୍‌ ବିଜୟ ହାସଲ କରିଛି। ଏଟିକେ ପଦାର୍ପଣ କରିଥିବା ହାଇଦ୍ରାବାଦ ଏଫସିକୁ ୫-୦ ଗୋଲର ବୃହତ୍‌ ବ୍ୟବଧାନରେ ହରାଇ ପ୍ରଥମ ବିଜୟ ହାସଲ କରିଛି। ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଠାରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ବିଜୟୀ ଦଳ ପକ୍ଷରୁ ଡେଭିଡ ୱିଲିୟମ୍ସ ଓ ଏଡୁ ଗାର୍ସିଆ ପ୍ରତ୍ୟେକେ ଦୁଇଟି ଲେଖାଏଁ ଏବଂ ରଏ କ୍ରିଷ୍ଣା ଗୋଟିଏ ଗୋଲ ସ୍କୋର କରିଥିଲେ।
ମ୍ୟାଚ ଆରମ୍ଭରୁ ଏଟିକେ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପ୍ରଥମ ୧୦ ମିନିଟରେ ତିନି ଚାରିଟି ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ କୌଣସି ଗୋଲ ସ୍କୋର ହୋଇୁ ନ ଥିଲା। ପ୍ରଥମ ମିନିଟରେ ଜୟେସ ରାଣେ ବକ୍ସ ବାହାରୁ ମାରିଥିବା ଏକ ଶଟ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ଦ୍ୱିତୀୟ ମିନିଟରେ ପ୍ରବୀର ଦାସଙ୍କୁ ହାଇଦ୍ରାବାଦର ସାହିଲ ପାନୱାର ଟାଣି ତଳେ ପକାଇଦେବାରୁ ଏଟିକେ ଖେଳାଳିମାନେ ପେନାଲଟି କିକ ପାଇଁ ଦାବି କରିଥିଲେ। କିନ୍ତୁ ରେଫରି ଉମେଶ ବୋରା ଏହାକୁ ନାକଚ କରିଦେଇଥିଲେ।
ଦଶମ ମିନିଟରେ ଗୋଲରକ୍ଷକ ତଥା ଅଧିନାୟକ କମଲଜିତ ସିଂଙ୍କ ଭୁଲ ଯୋଗୁ ହାଇଦ୍ରାବାଦ ଅଳ୍ପକେ ଆଉ ଏକ ବିପଦରୁ ବର୍ତ୍ତିି ଯାଇଥିଲା। ଅବଶ୍ୟ ପରବର୍ତ୍ତୀ ମିନିଟରେ ସେ ତାଙ୍କ ଦଳକୁ ଏକ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ମ୍ୟାଚର ୨୯ତମ ମିନିଟରେ ମାଇକେଲ ସୁସାଇରାଜଙ୍କ ଶଟ ହାଇଦ୍ରାବାଦ ଗୋଲପୋଷ୍ଟରେ ବାଜି ଫେରି ଆସିଥିଲା।
ତେବେ ଏଟିକେର ଘନଘନ ଆକ୍ରମଣ ଥରେ ଫଳପ୍ରଦ ହେବାପରେ ପ୍ରତିପକ୍ଷ ଦଳକୁ ଗୋଲ ଖାଇବାରୁ ଆଉ ଫୁରୁସତ ମିଳିନଥିଲା। ଡେଭିଡ ୱିଲିୟମ୍ସ ୨୫ ମିନିଟରେ ଏବଂ ରଏ କ୍ରିଷ୍ଣା ୨୭ ମିନିଟରେ ଗୋଲ ଦେଇ ଏଟିକେକୁ ୨-୦ରେ ଅଗ୍ରଣୀ କରାଇଥିଲେ। ହାଫ୍‌ ଟାଇମ୍‌ର ଗୋଟିଏ ମିନିଟ ପୂର୍ବରୁ ୱିଲିୟମ୍ସ ବ୍ୟକ୍ତିଗତ ଦ୍ୱିତୀୟ ତଥା ଦଳର ତୃତୀୟ ଗୋଲ ସ୍କୋର କରିଥିଲେ ।
ହାଫ୍‌ଟାଇମ ପରେ ହାଇଦରାବାଦ ଦଳର ପ୍ରଦର୍ଶନରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ଘରୋଇ ଦଳ ଆକ୍ରମଣରେ ଆଦୌ ହେଳା କରି ନ ଥିଲା। ମ୍ୟାଚ ଶେଷ ଆଡକୁ ଲାଗ ଲାଗ ଦୁଇଟି ଗୋଲ ଦେଇ ଏଟିକେ ଏକ ବୃହତ ବିଜୟ ହାସଲ କରିଥିଲା। ଦଳ ପକ୍ଷରୁ ଏଡୁ ଗାର୍ସିଆ ୮୮ ଓ ୯୦ ମିନିଟରେ ଏହି ଦୁଇଟି ଗୋଲ ସ୍କୋର କରିଥିଲେ।
ଡବଲ୍‌ ଗୋଲ ସ୍କୋରର ଗାର୍ସିଆଙ୍କୁ ମାରୁତି ସୁଜୁକି ଲିମିଟଲେସ ପ୍ଲେୟାର ଅଫ ଦି ମ୍ୟାଚ ଏବଂ ଡେଭିଡ ୱିଲିୟମ୍ସଙ୍କୁ ହିରୋ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ମାଇକେଲ ସୁସାଇରାଜ ଆଇଏସଏଲ ଇମର୍ଜିଂ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ।

Share