Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିର ବୃହତ୍‌ ପରାଜୟ

ମାରଗାଓ,୨୨।୧୨(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ପରାସ୍ତ ହୋଇଛି। ସ୍ଥାନୀୟ ଜାବହରଲାଲ ନେହେରୁ ଷ୍ଟାଡିୟମରେ ରବିବାର ଘରୋଇ ଏଫ୍‌ସି ଗୋଆ ଦଳ ୩-୦ ଗୋଲରେ ଓଡ଼ିଶାକୁ ହରାଇଛି। ଏଥିସହିତ ଗୋଆ ୯ ଟି ମ୍ୟାଚ୍‌ ଖେଳି ୫ ବିଜୟ, ୩ ଡ୍ର ଓ ଗୋଟିଏ ପରାଜୟ ସହ ମୋଟ ୧୮ ପଏଣ୍ଟ ପାଇଁ ତାଲିକାର ଶୀର୍ଷକୁ ଉଠିଛି। ଅନ୍ୟପଟେ ଓଡ଼ିଶା ୯ଟି ମ୍ୟାଚ୍‌ ଖେଳି ୨ ବିଜୟ, ୩ ଡ୍ର ଓ ୪ ପରାଜୟ ସହ ମୋଟ ୯ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ବେଙ୍ଗାଲୁରୁ ଏଫ୍‌ସି ୯ଟି ମ୍ୟାଚ୍‌ ଖେଳି ୪ ବିଜୟ, ୪ ଡ୍ର ଓ ଗୋଟିଏ ପରାଜୟ ସହ ୧୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଏଟିକେ ୯ ମ୍ୟାଚ୍‌ ଖେଳି ୪ ବିଜୟ,୩ ଡ୍ର ଓ ୨ ପରାଜୟ ସହ ୧୫ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।
ସମ୍ପୂର୍ଣ୍ଣ ଏକ ପାଖିଆ ଏହି ମ୍ୟାଚ୍‌ରେ ଗୋଆ ତରଫରୁ ତାରକା ଫରଓ୍ବାର୍ଡ ସ୍ପେନ୍‌ର ଫେରାନ କୋରୋମିନାସ ୧୯ ଓ ୮୯ତମ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରିଥିଲେ। ସେହିପରି ୮୫ତମ ମିନିଟ୍‌ରେ ବ୍ରାଣ୍ଡନ ଫର୍ଣ୍ଣାଣ୍ଡିଜ୍‌ ଗୋଟିଏ ଗୋଲ ଦେଇଥିଲେ। ଅପରପକ୍ଷରେ ଓଡ଼ିଶା ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଟିଏ ହେଲେ ବି ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲା। ଓଡ଼ିଶା ଏବେ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୨୭ ତାରିଖ ଶୁକ୍ରବାର ଦିନ ଜାମସେଦପୁରକୁ ଭେଟିବ। ଅନ୍ୟପଟେ ଗୋଆ ତାର ପରବର୍ତ୍ତୀ ମ୍ୟାଚରେ ୨୬ ତାରିଖ ଗୁରୁବାର ଚେନ୍ନାଇ ଏଫ୍‌ସିକୁ ଭେଟିବ।

Share