Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିର କ୍ରମାଗତ ୪ର୍ଥ ବିଜୟ

ଭୁବନେଶ୍ୱର,୧୬।୧(କ୍ରୀଡ଼ା ପ୍ରତିନିଧି)-  ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଘରୋଇ ଗ୍ରାଉଣ୍ଡରେ କ୍ରମାଗତ ୩ ବିଜୟ ସହ ହ୍ୟାଟ୍ରିକ କରିଥିବା ଓଡ଼ିଶା ଏଫ୍‌ସି ବାହାର ପରିବେଶରେ ମଧ୍ୟ ଦକ୍ଷତା ଦେଖାଇଛି। ବୁଧବାର ହାଇଦ୍ରାବାଦରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଏହି ଦଳ ୨-୧ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ପୂର୍ବରୁ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ମୁକାବିଲାରେ ମଧ୍ୟ ଓଡ଼ିଶା ଏଫ୍‌ସି ୩-୨ ଗୋଲରେ ବିଜୟୀ ହୋଇଥିଲା।
ହାଇଦ୍ରାବାଦର ଜିଏମ୍‌ସି ବାଲାଯୋଗୀ ଷ୍ଟାଡିୟମରେ ମ୍ୟାଚ୍‌ ଆରମ୍ଭ ହେବାକ୍ଷଣି ଅର୍ଥାତ୍‌ ୧ମ ମିନିଟ୍‌ରେ ମାର୍ସେଲିନୋ ଏକ ଗୋଲ ଦେଇ ହାଇଦ୍ରାବାଦକୁ ଅଗ୍ରଣୀ କରାଇଥିଲେ। ସାମାନ୍ୟ ଚାପର ବଶବର୍ତ୍ତୀ ହୋଇଥିଲେ ହେଁ ଓଡ଼ିଶା ଏଫ୍‌ସି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ୧୫ତମ ମିନିଟ୍‌ରେ ଆରିଡାନେ ସାଣ୍ଟାନା ଗୋଲଟି ପରିଶୋଧ କରିବାରୁ ମ୍ୟାଚ୍‌ ସମାନ ସ୍ତରକୁ ଚାଲିଆସିଥିଲା। ଏହାପରେ ଅଗ୍ରଣୀ ନେବା ପାଇଁ ଉଭୟ ଦଳ ଉଦ୍ୟମ କରିବା ମଧ୍ୟରେ ୪୫ତମ ମିନିଟରେ ସାଣ୍ଟାନା ବ୍ୟକ୍ତିଗତ ଭାବେ ଦେଇଥିବା ଦ୍ୱିତୀୟ ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଦ୍ୱିତୀୟାର୍ଦ୍ଧ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଏହି ବିଜୟ ଫଳରେ ଓଡ଼ିଶା ଏଫ୍‌ସି ୧୩ ମ୍ୟାଚ୍‌ରୁ ୨୧ ପଏଣ୍ଟ ପାଇ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଗୋଆ ୨୪, ବେଙ୍ଗାଲୁରୁ ଏଫ୍‌ସି ୨୨ ଓ ଏଟିକେ ୨୧ ପଏଣ୍ଟ ସହିତ ପ୍ରଥମ ତିନି ସ୍ଥାନରେ ରହିଛନ୍ତି।

Share