Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌ର ବୃହତ୍‌ ବିଜୟ

କୋଚି,୨।୨(ପି.ଟି.)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଚେନ୍ନାଇନ ଏଫ୍‌ସି ଘରୋଇ କେରଳ ବ୍ଲାଷ୍ଟର୍ସ ଏଫ୍‌ସିକୁ ୬-୩ ଗୋଲରେ ପରାସ୍ତ କରିଛି। ମ୍ୟାଚ୍‌ରେ ମୋଟ ୯ଟି ଗୋଲ ସ୍କୋର ହୋଇଥିବାରୁ ଦର୍ଶକ ମନୋରଞ୍ଜନର ଖୋରାକ ପାଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଚେନ୍ନାଇ ୩ଟି ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଦଳ ତରଫରୁ ରାଫାଏଲ କ୍ରିଭେଲାରୋ ୩୯ ଓ ୪୫ତମ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରିଥିଲେ। ସେହିପରି ଦଳ ତରଫରୁ ନେରିଜୁସ୍‌ ଭାଲସ୍କିଜ ୪୫ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ।
ଏହାପରେ କେରଳ ତରଫରୁ ବାର୍ଥୋଲୋମିୟୁ ୪୮, ୬୫ ଓ ୭୬ତମ ମିନିଟ୍‌ରେ ଗୋଲ ଦେଇ ସିଜନର ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ଦଳକୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଚେନ୍ନାଇନ ତରଫରୁ ଲାଲିଆଞ୍ଜୁଆଲା ଛଙ୍ଗ୍‌ଟେ ୫୯ ଓ ୮୦ତମ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରିଥିଲେ। ଶେଷରେ ଭାଲସ୍କିଜ ୯୦ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ। ଏହି ବିଜୟ ସହ ଚେନ୍ନାଇନ ୧୪ଟି ମ୍ୟାଚ୍‌ ଖେଳି ୬ ବିଜୟ, ୩ ଡ୍ର ଓ ୫ ପରାଜୟ ସହ ୨୧ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ କେରଳ ୧୫ଟି ମ୍ୟାଚ୍‌ ଖେଳି ୩ ବିଜୟ, ୫ ଡ୍ର ଓ ୭ ପରାଜୟ ସହ ୧୪ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି। ଓଡ଼ିଶା ଏଫ୍‌ସି ଏପର୍ଯ୍ୟନ୍ତ ୧୫ଟି ମ୍ୟାଚ୍‌ ଖେଳି ୬ଟି ଲେଖାଏ ବିଜୟ ଓ ପରାଜୟ, ୩ଟି ଡ୍ର ସହ ୨୧ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି।

Share