Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ଡ୍ର’ରେ ଓଡ଼ିଶାର ଅଭିଯାନ ଶେଷ ମାନୁଏଲଙ୍କ ହ୍ୟାଟ୍ରିକ୍‌

ଭୁବନେଶ୍ୱର, ୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଓଡ଼ିଶା ଏଫ୍‌ସି ତା’ର ଶେଷ ତଥା ୧୮ତମ ମ୍ୟାଚ୍‌ ଅମୀମାଂସିତ ରଖି ଅଭିଯାନ ଶେଷ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଓ କେରଳ ବ୍ଲାଷ୍ଟର୍ସ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ୪-୪ ଗୋଲରେ ଅମୀମାଂସିତ ରହିଛି। ଘରୋଇ ଓଡ଼ିଶା ତରଫରୁ ଫରଓ୍ବାର୍ଡ ମାନୁଏଲ ଓନୁ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ମାନୁଏଲ ପ୍ରଥମ, ୩୬ ଓ ୫୧ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ମାର୍ଟିନ ପେରେଜ ଗୁଏଡ୍ସ ୪୪ତମ ମିନିଟ୍‌ରେ ପେନାଲ୍ଟି ଜରିଆରେ ଆଉ ଏକ ଗୋଲ ସ୍କୋର କରିଥିଲେ।
ଅପରପକ୍ଷରେ କେରଳ ତରଫରୁ ଷଷ୍ଠ ମିନିଟ୍‌ରେ ନାରାୟଣ ଦାସ ଆତ୍ମଘାତୀ ଗୋଲ କରିଥିଲେ। ସେହିପରି ରାଫେଲ ମେସି ବୋଉଲି ୨୮ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ଦଳ ତରଫରୁ ବାର୍ଥୋଲୋମି ଓଗ୍‌ବେଚେ ୮୨ତମ ମିନିଟ୍‌ରେ ପେନାଲ୍ଟି ଜରିଆରେ ଓ ଇଞ୍ଜୁରି ଟାଇମର ଚତୁର୍ଥ ମିନିଟ୍‌ରେ ପେନାଲ୍ଟି ଜରିଆରେ ଗୋଲ ଦେଇ ଓଡ଼ିଶା ହାତରୁ ବିଜୟ ଛଡାଇ ନେଇଥିଲେ।
ଓଡ଼ିଶା ୧୮ଟି ମ୍ୟାଚ୍‌ ଖେଳି ୭ ବିଜୟ, ୪ ଡ୍ର ଓ ୭ ପରାଜୟ ସହ ୨୫ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ସେହିପରି କେରଳ ୧୮ଟି ମ୍ୟାଚ୍‌ ଖେଳି ୪ ବିଜୟ, ୭ ଡ୍ର ଓ ୭ ପରାଜୟ ସହ ୧୯ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି।

Share