Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସି

ମାରଗାଓ, ୮।୩(ପି.ଟି.)- ପୂର୍ବରୁ ୨ଥର ଟାଇଟଲ ହାସଲ କରିଥିବା ଚେନ୍ନାଇନ ଏଫ୍‌ସି ପ୍ରଥମ ଦଳ ଭାବେ ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲରେ ପ୍ରବେଶ କରିଛି। ଏହି ହାଇପ୍ରୋଫାଇଲ ଲିଗ୍‌ର ସେକେଣ୍ଡ ଲେଗ ସେମିଫାଇନାଲରେ ଚେନ୍ନାଇନ ୨-୪ ଗୋଲରେ ଏଫ୍‌ସି ଗୋଆଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି। ଫାଷ୍ଟ ଲେଗ୍‌ ସେମିଫାଇନାଲରେ ଚେନ୍ନାଇନ ୪-୧ ଗୋଲରେ ଗୋଆକୁ ହରାଇଥିଲା। ଫଳରେ ଏଗ୍ରିଗେଟ୍‌ରେ ଚେନ୍ନାଇନ ୬-୫ ଗୋଲରେ ବିଜୟୀ ହୋଇ ଫାଇନାଲକୁ ଉଠିଛି। ଫାଇନାଲରେ ଏବେ ଚେନ୍ନାଇନ ଏଟିକେ କିମ୍ବା ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିବ।
ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ସେକେଣ୍ଡ ଲେଗ ସେମିଫାଇନାଲରେ ଜବରଦସ୍ତ ସଂଘର୍ଷ ଓ ରୋମଞ୍ଚ ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧରେ ଗୋଆ ପ୍ରଭାବ ବିସ୍ତାର କରି ଖେଳିଥିଲା। ଚେନ୍ନାଇନର ଲୁସିଆନ ଗୋଇଆନ୍ସ ୧୦ ମିନିଟ୍‌ରେ ଆତ୍ମଘାତୀ ଗୋଲ ସ୍କୋର କରି ଗୋଆକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଗୋଆ ତରଫରୁ ମୌରଟାଡା ଫଲ ୨୧ତମ ମିନିଟ୍‌ରେ ମିନିଟ୍‌ରେ ଗୋଲ ଦେଇଥିଲେ। ତେବେ ଏହାପରେ ୫୨ ଓ ୫୯ତମ ମିନିଟ୍‌ରେ ଚେନ୍ନାଇନ ତରଫରୁ ଯଥାକ୍ରମେ ଲାଲିଆଞ୍ଜୁଆଲା ଚାଙ୍ଗଟେ ଓ ନେରିଜୁସ୍‌ ଭାଲସ୍କିଜ ଗୋଲ ସ୍କୋର ମ୍ୟାଚ୍‌କୁ ୨-୨ ସମାନସ୍ତରକୁ ଆଣିଥିଲେ। ଏହାପରେ ଗୋଆ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ତରଫରୁ ଏଡୁ ବେଡିଆ ୮୧ ଓ ଫଲ ୮୩ତମ ମିନିଟ୍‌ରେ ଗୋଲ ଦେଇ ଗୋଆକୁ ଜିତାଇଥିଲେ ମଧ୍ୟ ସେମିଫାଇନାଲରେ ପହଞ୍ଚାଇବା ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ଫାଇନାଲ ଟିକେଟ ହାସଲ କରିବାକୁ ପାଇଁ ଗୋଆକୁ ଆଉ ୨ଟି ଗୋଲ ଦେବା ଅପରିହାର୍ଯ୍ୟ ହୋଇପଡିଥିଲା। ତେବେ ଏହା ସମ୍ଭବ ହୋଇ ନ ଥିଲା।

Share