Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ବିଜୟଧାରା ବଜାୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ବେଙ୍ଗାଲୁରୁ,୨୨।୧(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବୁଧବାର ଓଡ଼ିଶା ଏଫସି ଓ ବେଙ୍ଗାଲୁରୁ ଏଫ୍‌ସି ପରସ୍ପରକୁ ଭେଟିବେ। ଗତ ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସିଠାରୁ ବେଙ୍ଗାଲୁରୁ ପରାସ୍ତ ହୋଇଥିଲା। ସ୍ଥାନୀୟ ଶ୍ରୀ କାନ୍ତରଭା ଷ୍ଟାଡିୟମରେ ଖେଳାଯିବକୁ ଥିବା ଏହି ମ୍ୟାଚ୍‌ରେ ବିଜୟୀ ହୋଇ ବେଙ୍ଗାଲୁରୁ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଓଡ଼ିଶା କ୍ରମାଗତ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ତାଲିକାର ଶ୍ରେଷ୍ଠ ୪’ରେ ସ୍ଥାନ ହାସଲ କରି ନିଜର ଆତ୍ମବିଶ୍ୱାସ ବେଶ୍‌ ଦୃଢ କରିଛି ଓ ମୁମେଣ୍ଟମ ବଜାୟ ଲକ୍ଷ୍ୟରେ ରହିଛି।
ବେଙ୍ଗାଲୁରୁ ୧୩ଟି ମ୍ୟାଚ୍‌ ଖେଳି ୬ ବିଜୟ, ୩ ପରାଜୟ ଓ ୪ଟି ଡ୍ର ସହ ୨୨ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଓଡ଼ିଶା ସମାନ ୧୩ଟି ମ୍ୟାଚ୍‌ ଖେଳି ୬ ବିଜୟ, ୪ ପରାଜୟ ଓ ୩ଟି ଡ୍ର ସହ ୨୧ ପଏଣ୍ଟ ପାଇଁ ଚତୁର୍ଥ ସ୍ଥାନରେ ରହିଛି। ଫଳରେ ବିଜୟୀ ହେଲେ ବେଙ୍ଗାଲୁରୁ ୨୫ ପଏଣ୍ଟ ପାଇ ଏଫ୍‌ସି ଗୋଆ ଓ ଏଟିକେକୁ (ଉଭୟ ୨୪ ପଏଣ୍ଟ) ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିବ। ପୁଣି ଯଦି ଓଡ଼ିଶା ଜିତେ ତାହେଲେ ୨୪ ପଏଣ୍ଟ ପାଇ ଗୋଆ ଓ ଏଟିକେ ସ ସମାନ ହେବ।
ଗତ ୪ଟି ମ୍ୟାଚ୍‌ ଜିତିଥିବାର ଖେଳାଳିଙ୍କ ଆତ୍ମବିଶ୍ୱାସ ଆକାଶଛୁଆଁ ରହିଛି ବୋଲି ଓଡ଼ିଶା କୋଚ୍‌ ଜୋସେଫ୍‌ ଗୋମ୍ବାଉ କହିଛନ୍ତି। ବିଜୟୀ ହେଲେ ଆମେ ବେଙ୍ଗାଲୁରୁକୁ ପଛରେ ପକାଇବୁ। ଏହି ମ୍ୟାଚ୍‌ ନିଶ୍ଚିତ ଭାବେ ଆମ ପାଇଁ କଷ୍ଟକର ହେବ। ତେବେ ଆମେ ଜିତିବାକୁ ପ୍ରୟାସ କରିବୁ ବୋଲି ସେ କହିଛନ୍ତି। ଅନ୍ୟପଟେ ଡିଫେନ୍ସରେ ଦଳର ତ୍ରୁଟି ନେଇ ବେଙ୍ଗାଲୁରୁ କୋଚ୍‌ କାର୍ଲସ୍‌ କୁଆଡ୍ରାଟ୍‌ ଚିନ୍ତିତ ଥିବା କଥା କହିଛନ୍ତି। ଗତ ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲୁ । କିନ୍ତୁ ଏଥର ତ୍ରୁଟି ସୁଧାରି ଓଡ଼ିଶାକୁ ପରାସ୍ତ କରିବୁ ବୋଲି ସେ କହିଛନ୍ତି। ସୁନୀଲ ଛେତ୍ରୀ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ୮ଟି ଗୋଲ ସ୍କୋର କରିଛନ୍ତି। ତେବେ ଅନ୍ୟ କୌଣସି ଷ୍ଟ୍ରାଇକର ଏପର୍ଯ୍ୟନ୍ତ ଦମ୍‌ ଦେଖାଇପାରି ନାହାନ୍ତି।
ଅନ୍ୟପଟେ ଯଦି ଓଡ଼ିଶା ବିଜୟୀ ହୁଏ ତେବେ କ୍ରମାଗତ ୫ଟି ମ୍ୟାଚ୍‌ ଜିତିବାରେ ଗୋଆକୁ ପଛରେ ପକାଇ ରେକର୍ଡ କରିବ। ବିନିତ ରାୟ ସସ୍‌ପେଣ୍ଡ ହୋଇଥିବାରୁ ଓ ନନ୍ଦକୁମାର ଶେଖର ଆହତ ହୋଇଥିବାରୁ ଓଡ଼ିଶା ଚିନ୍ତାରେ ଅଛି। ତେବେ ଏହା ସତ୍ତ୍ୱେ ଓଡ଼ିଶା ତା’ର ଫର୍ମ ବଜାୟ ରଖି ବିଜୟଧାରା ଅବ୍ୟାହତ ରଖିବ ବୋଲି କୋଚ୍‌ ଗୋମ୍ବାଉ କହିଛନ୍ତି।

Share