ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ଡ୍ୟାନ୍ସ ଫେଷ୍ଟିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେଉଥିବା ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ଡ୍ୟାନ୍ସ ଫେଷ୍ଟିଭାଲ୍‌-୨୦୧୯ (ଆଇଆଇଡିଏଫ୍‌) ସୋମବାର ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହାର ଉଦ୍‌ଯାପନୀ ଦିବସର ପ୍ରାରମ୍ଭରେ ଫ୍ୟୁଚର ଫେସେସ୍‌ ଟ୍ୟାଲେଣ୍ଟ ଟେଷ୍ଟ ଅନୁଷ୍ଠିତ ହୋଇଥିଲା। ପୁରୀର ସୌମେନ୍ଦ୍ର ପି. ଚମ୍ପତିରାୟ, ସ୍ବାଗତିକା ପଣ୍ଡା, ଭୁବନେଶ୍ୱରର ନବ୍ୟ ନମସ୍ୟ କର, ଭୁବନେଶ୍ୱରର ଶ୍ରୀଡ୍ୟାନ୍ସ ଏକାଡେମୀର ନିର୍ଜରା ନିଳିମା ତ୍ରିପାଠୀ, ପଦ୍ମିନୀ ପ୍ରମୁଖ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ରାଉରକେଲାର ପ୍ରିୟାଂଶି ମୁଦୁଲି କଣ୍ଟେମ୍ପରାରୀ ନୃତ୍ୟ ପରିବେଷଣ କରିଥିବାବେଳେ ଭୁବନେଶ୍ୱରର ଆରୁଷି ସାହୁ, ଅଙ୍କିତା ମହାରଣା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରବର୍ତ୍ତୀ ପ୍ରସ୍ତୁତିରେ ରାଉରକେଲାର ଦୀପ୍‌ଶିଖା ମହାପାତ୍ର ଶିବ ପଞ୍ଚକ, ଆଦ୍ୟାଶା ଦାସ ନବଦୂର୍ଗା, ସାଇନି ସିଲ୍‌କି ଶ୍ରେଷ୍ଠ କମଳା କୁଚମଣ୍ଡଳ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ। ସେହିପରି ସନ୍ଧ୍ୟା ଅଧିବେଶନରେ ବାରିପଦାର ଅଂଶୁମାନ ମୁଖୀ କଣ୍ଟେମ୍ପରାରୀ ହିପ୍‌ପପ୍‌ ପରିବେଷଣ କରିଥିଲେ। ଏହାପରେ ଭୁବନେଶ୍ୱରର ଜି. ସଞ୍ଜୟ, ବ୍ରହ୍ମପୁରର ନୁର ରାଜା ଓଡ଼ିଶୀ, ଶ୍ରଦ୍ଧା ସୁମନ ରଥ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ପରେ ମାନସୀ ମାଇଟି ଏବଂ ଦଳଗତ ନୃତ୍ୟ ଏବଂ ଭୁବନେଶ୍ୱରର ରାୱା ଏକାଡେମୀର ଶିଳ୍ପୀମାନେ ଲୋକନୃତ୍ୟ ପରିବେଷଣ କରିଥିଲେ। ସେହିପରି କସ୍ତୁରି ସାନ୍ୟାଲ୍‌ ଭାରତନାଟ୍ୟମ୍‌, ଦିପ୍ସି ପଟ୍ଟନାୟକ, ଶ୍ରୀରାଧା ପାଲ୍‌ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଶ୍ରୀଡ୍ୟାନ୍ସ ଏକାଡେମୀର ଶିଳ୍ପୀଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଯାହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ନମିତା ରାୟ। ପରବର୍ତ୍ତୀ ପ୍ରସ୍ତୁତିରେ କଟକ ମୁନମୁନ୍‌ ସିଂହ ଓଡ଼ିଶୀ, କୋଲକାତାର ସୋହିନୀ ପାଇନ୍‌ କଥକ, ମୁମ୍ବାଇର ମନସ୍ବିନୀ ମହାନ୍ତି ଓଡ଼ିଶୀ ଏବଂ ନୃତ୍ୟାଳୟ ଅନୁଷ୍ଠାନ ପକ୍ଷରୁ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଉତ୍ସବରେ ଅତିଥିଭାବେ ପ୍ରଣତି ମହାନ୍ତି, ସୀକତା ଦାସ, ଡ. ତରୁଣ କୁମାର ଓଝା ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିବାବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ୟାମହରି ଚକ୍ର ପରିଚାଳନା କରିଥିଲେ।

Share