Categories: ଖେଳ

ଇଣ୍ଡିଆ ଓପନ୍‌ ବକ୍ସିଂ: ଶିବ, ଅମିତ୍‌ ସେମିରେ

ଗୁଆହାଟୀ,୨୩।୫ (ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଇଣ୍ଡିଆ ଓପନ ବକ୍ସିଂ ଟୁର୍ନାମେଣ୍ଟରେ ଦୁଇ ଭାରତୀୟ ବକ୍ସର ଶିବ ଥାପା ଓ ଅମିତ ପଙ୍ଘାଲ ଆଶାନୁରୂପ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଥାନୀୟ କର୍ମବୀର ନବିନ ଚନ୍ଦ୍ର ବୋର୍ଦୋଲୋଇ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଏହି ପ୍ରତିଯୋଗିତାରେ ଅନ୍ୟ ୫ ଭାରତୀୟ ବକ୍ସର ମଧ୍ୟ ସେମିରେ ପ୍ରବେଶ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ଥାପା ୫-୦ ରେ ମରିସସ୍‌ର ହେଲେନ ଡାମିଏନ୍‌ଙ୍କୁ ହରାଇ ସେମିକୁ ଉଠିଛନ୍ତି। ୬୦ କେ.ଜି. ବର୍ଗ ସେମିରେ ସେ ୫-୦ରେ ହେଲେନ ଡାମିଏନଙ୍କୁ ଭେଟିବେ। ଗତ ମାସ ଥାପା ପ୍ରଥମ ଭାରତୀୟ ପୁରୁଷ ବକ୍ସର ଭାବେ କ୍ରମାଗତ ଚତୁର୍ଥଥର ପାଇଁ ଏସିଆନ୍‌ ପଦକ ହାସଲ କରିଥିଲେ। ସେହିପରି ଅଙ୍କିତ୍‌ ଓ ମନୀଷ କୌଶିକ ୫-୦ରେ ସେମାନଙ୍କ ପ୍ରତିପକ୍ଷ ଖେଳାଳିଙ୍କୁ ହରାଇ ୬୦ କେ.ଜି. ବର୍ଗ ସେମିରେ ପ୍ରବେଶ କରିଛନ୍ତି। ଫଳରେ ଭାରତୀୟ ୩ ଖେଳାଳି ୬୦ କେ.ଜି. ବର୍ଗ ସେମିକୁ ଉଠିଛନ୍ତି। ୫୨ କେ.ଜି. ବର୍ଗରେ ଭାରତ ଅମିତ ପଙ୍ଘାଲ, ନ୍ୟାଶନାଲ ଚାମ୍ପିୟନ ପି.ଏଲ. ପ୍ରସାଦ, ପୂର୍ବତନ ବିଶ୍ୱ ଯୁବ ଚାମ୍ପିୟନ ସଚିନ ସିଓ୍ବାଚ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଗୌରବ ସୋଲାଙ୍କି ସେମିରେ ପ୍ରବେଶ କରିଛନ୍ତି। ଫଳରେ ୪ ଭାରତୀୟ ସେମିରେ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇଛି। ଅମିତ୍‌ ୫-୦ରେ ଥାଇଲାଣ୍ଡର ଚକାପୋଙ୍ଗ ଚାନପିରୋମଙ୍କୁ ହରାଇଥିଲେ। ସେମିରେ ଅମିତ ଏବେ ପ୍ରସାଦଙ୍କୁ ଭେଟିବେ।

Share