Categories: ଖେଳ

ଇଣ୍ଡିଆ-ସି ୧୦ରନରେ ବିଜୟୀ

କଟକ ଅଫିସ,୭।୧- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ସୋମବାର ଇଣ୍ଡିଆ-ସି ଦଳ ୧୦ରନରେ ଇଣ୍ଡିଆ-ଏ’କୁ ପରାସ୍ତ କରିଛି। ଇଣ୍ଡିଆ-ସି ପକ୍ଷରୁ ଧାର୍ଯ୍ୟ ୧୨୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଣ୍ଡିଆ-ଏ ୧୧୩ ରନ କରିଥିଲା। ପ୍ରତିଯୋଗିତାରେ ଦୁଇଟି ମ୍ୟାଚ୍‌ ଖେଳି ସାରିଥିବା ଇଣ୍ଡିଆ-ସି ଦଳର ଏହା ପ୍ରଥମ ବିଜୟ। ତେବେ ଏହି ଦଳରେ ସ୍ଥାନ ପାଇଥିବା ପ୍ରତିଭାବାନ ଓଡ଼ିଆ ଖେଳାଳି ମାଧୁରୀ ମେହେତାଙ୍କୁ ସୋମବାର ମ୍ୟାଚ୍‌ରେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନ ଥିଲା।
ଅଧିନାୟିକା ଭେଦା କ୍ରୀଷ୍ଣାମୃର୍ତ୍ତି ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପନର ୟସ୍ତିକା ଭାଟିଆ ଓ ଶେଫାଳି ବର୍ମା ଚମତ୍କାର ଆରମ୍ଭ କରିଥିଲେ। ପାୱାର ପ୍ଲେ’ରେ ଉଭୟ ୫୦ରନ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୫୮ ହୋଇଥିବାବେଳେ ଇଣ୍ଡିଆ-ସି ସେହି ସ୍କୋରରେ ଦୁଇ ଓପନରଙ୍କୁ ହରାଇଥିଲା। ୟସ୍ତିକା ୧୮ ରନରେ ଓ ସେଫାଳୀ ୩୮ ରନ (୨୪ ବଲ, ୭ ଚୌକା, ୧ ଛକା)ରେ ଆଉଟ ହୋଇଥିଲେ। ଦୁଇ ଓପନର ପ୍ୟାଭିଲିୟନ ଫେରିବା ପରେ ରନ୍‌ ସଂଗ୍ରହ ଧୀମା ହୋଇ ଯାଇଥିଲା। ନିର୍ଦ୍ଧାରିତ ଓଭରରେ ଇଣ୍ଡିଆ-ସି ୭ ଉଇକେଟ ହରାଇ ୧୨୩ ରନ କରିଥିଲା। ଅଧିନାୟିକା କ୍ରୀଷ୍ଣାମୃତ୍ତି ୧୭, ଦୟଲାନ ହେମଲତା ୨୪, ଉଇକେଟ୍‌କିପର ନୁଜହତ ପରୱିନ ୧୦, ଅରୁନ୍ଧତୀ ରେଡ୍ଡୀ ୯, ଭୃଷାଳି ଭଗତ ୪ ରନ କରିଥିବାବେଳେ ମନାଲୀ ଦକ୍ଷିଣୀ ଖାତା ଖୋଲି ପାରି ନ ଥିଲେ। ଇଣ୍ଡିଆ-ଏ ପକ୍ଷରୁ ଦୀପ୍ତି ଶର୍ମା ୨ଟି ଏବଂ ରାଧା ଯାଦବ, ସ୍ନେହ ରାଣା, ମାନସୀ ଯୋଶୀ ଓ ଦେବିକା ବୈଦ୍ୟଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
ପ୍ରିୟା ପୁନିଆଙ୍କ ଇଣ୍ଡିଆ-ଏ ପାଇଁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ ହୋଇଥିଲା । ପ୍ରାରମ୍ଭରୁ ଦୁଇ ଓପନର ପ୍ରିୟା ଓ ଜେସିଆ ଅଖତାର ବଡ୍‌ ଶଟ୍‌ ମାରିବାକୁ ପ୍ରଚେଷ୍ଟା କରିଥିଲେ। ୯ରନ କରିଥିବା ବେଳେ ଜେସିଆଙ୍କୁ କ୍ଲିନ ବୋଲ୍ଡ କରିଥିଲେ ମନାଲୀ ଦକ୍ଷିଣୀ। ପରେ କୌଣସି ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ସୃଷ୍ଟି ନହେବାରୁ ଇଣ୍ଡିଆ-ଏ ଦଳ ବିଜୟ ଲକ୍ଷ୍ୟ ଠାରୁ ପଛରେ ପଡ଼ି ଯାଇଥିଲା । ଦଳର ଅଧିନାୟିକା ତଥା ଭାରତୀୟ ମହିଳା କ୍ରିକେଟର ଧୁଆଁଧାର ଖେଳାଳି ହରମନପ୍ରିତ କୌରଙ୍କ ବ୍ୟାଟିଂ ବିଫଳତା ମଧ୍ୟ ଦଳ ଉପରେ ଭାରି ପଡ଼ିଥିଲା । ହରମନପ୍ରିତ ୧୩ରନରେ ଆଉଟ ହୋଇଥିଲେ। ଦୀପ୍ତି ଶର୍ମା ଦଳ ପକ୍ଷରୁ ସର୍ବାଧିକ ୩୪ରନ କରିଥିବା ବେଳେ ମିନୁ ମାନି ୧୦ରନ, ସ୍ନେହ ରାଣା ୬ରନ, ରାଧା ଯାଦବ ୨ରନ, ତାନିଆ ଭାଟିଆ ୧ରନ କରିଛନ୍ତି। ଇଣ୍ଡିଆ-ସି ପକ୍ଷରୁ ମନାଲି ଦକ୍ଷିଣୀ, ଦୟଲାନ ହେମଲତା, ତନୁଶ୍ରୀ ସରକାର, ରାଜେଶ୍ୱରୀ ଗାଏକ୍ବାଡ, ଅରୁନ୍ଧତୀ ରେଡ୍ଡୀ ଗୋଟିଏ ଲେଖାଏ ଉଇକେଟ ଦଖଲ କରିଛନ୍ତି ।

Share