ଇଣ୍ଡିଗୋ ବିମାନର ବଡ଼ ନିଷ୍ପତ୍ତି: ଦୂରତା ହିସାବରେ ଧାର୍ଯ୍ୟ ହେବ ବିମାନ ଭଡ଼ା

ଶ୍ରୀନଗର,୫।୮: ବିମାନ କମ୍ପାନୀ ଇଣ୍ଡିଗୋ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଶ୍ରୀନଗର ବିମାନବନ୍ଦରରୁ ଉଡାଣ ଭରୁଥିବା ସମସ୍ତ ବିମାନ ପାଇଁ ଦୂରତା ହିସାବରେ ଭଡା ଧାର୍ଯ୍ୟ କରାଯିବା ନେଇ ନିଷ୍ପତ୍ତି ନେଇଛି। ଯେତେବେଳେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ନେଇ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି ଓ ପ୍ରଶାସନ ପକ୍ଷରୁ ଅମରନାଥ ଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ଘାଟି ଛାଡିବାକୁ କୁହାଯାଇଛି, ସେ ସମୟରେ ଇଣ୍ଡିଗୋର ଏଭଳି ଘୋଷଣାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କାରଣ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀ ପରେ ବିମାନରେ ଟିକେଟ ବୁକିଂର ସଂଖ୍ୟା ବଢ଼ିଯାଇଥିଲା। ଏଭଳି ପରିସ୍ଥିତିରେ ସମସ୍ତ ଏୟାରଲାଇନ୍ସକୁ ନିୟମିତ ଭଡା ଧାର୍ଯ୍ୟ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଶ୍ରୀନଗର ବିମାନ ବନ୍ଦରରୁ ୫ଶହ କିଲୋମିଟର ଯାତ୍ରା ଉପରେ ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ ପ୍ରାୟ ୬,୦୦୦ ଟଙ୍କା ଭଡା ଧାର୍ଯ୍ୟ କରାଯାଇଛି। ସେହିପରି ୫୦୧-୭୫୦ କିଲୋମିଟର ପ୍ରତି ୭,୫୦୦ଟଙ୍କା, ୭୫୧-୧୦୦୦ କିଲୋମିଟର ପ୍ରତି ୯,୦୦୦ ଓ ୧୦୦୧-୧୩୦୦ କିଲୋମିଟର ପ୍ରତି ୧୨,୦୦୦ ଟଙ୍କା ଭଡା ଧାର୍ଯ୍ୟ କରାଯାଇଛି। ଏଥିସହ ଶ୍ରୀନଗର ବିମାନବନ୍ଦରରୁ ୧୩୦୦ କିଲୋମିଟରରୁ ଊର୍ଦ୍ଧ୍ୱ ଯାତ୍ରା ପାଇଁ ପ୍ରାୟ ୧୫,୦୦୦ ଟଙ୍କା ଭଡା ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

Share