Categories: ବାଣିଜ୍ୟ

ଇଣ୍ଡିଗୋ ସର୍ଭର ଡାଉନ ଯୋଗୁ ଯାତ୍ରୀଙ୍କୁ ଅସୁବିଧା

ନୂଆଦିଲ୍ଲୀ,୫-୧୧: ସୋମବାର ପୂର୍ବାହ୍ନରେ ସାରା ଦେଶରେ ଇଣ୍ଡିଗୋର ସର୍ଭର ଡାଉନ ରହିବା ଯୋଗୁ ବିମାନ ଯାତ୍ରୀମାନେ ଅସୁବିଧା ସାମ୍ନା କରିଛନ୍ତି। କମ୍ପାନୀର ସବୁ ନେଟ୍‌ଓ୍ବର୍କରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ସର୍ଭର ଅସୁବିଧା ରହିବା ଯୋଗୁ ଦେଶର ସାରା ଦେଶରେ ଯାତ୍ରୀ ଅସୁବିଧା ଭୋଗିଛନ୍ତି। ଏଥି ଯୋଗୁ ଚେକ୍‌ ଇନ୍‌ କାଉଣ୍ଟରରେ ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ପ୍ରଦାନ କ୍ଷେତ୍ରରେ ସମସ୍ୟା ଉପୁଜିଥିଲା। ବିମାନ ବନ୍ଦରଗୁଡିକରେ ଯାତ୍ରୀମାନେ ଲମ୍ବା ଲାଇନରେ ଛିଡାହୋଇ ରହିଥିବାର ଦେଖାଯାଇଥିଲା। ଘରୋଇ ବିମାନ ସେବା କ୍ଷେତ୍ରରେ ଇଣ୍ଡିଗୋ ଏକ ପ୍ରମୁଖ ବଜାର ଅଂଶୀଦାର ଭାବେ ସେବା ଯୋଗାଣ କରୁଥିବା ବେଳେ ଏଭଳି ତ୍ରୁଟି ଯୋଗୁ ଯାତ୍ରୀମାନେ ସମସ୍ୟା ଭୋଗିଥିବା ସୂଚନା ରହିଛି। ଏହି ସମସ୍ୟା ଲାଗି କମ୍ପାନୀ ପକ୍ଷରୁ କ୍ଷମା ପ୍ରାଥନା କରାଯାଇଛି। ଏବେ ସର୍ଭର ଠିକ୍‌ ଚାଲିଥିବା କମ୍ପାନୀ ପକ୍ଷରୁ ଅପରାହ୍ନ ୨ଟାରେ ଜାରି ଏକ ପ୍ରେସ ବିବୃତିରେ କୁହାଯାଇଛି। ସୋମବାର ସକାଳୁ ସର୍ଭରରେ ସମସ୍ୟା ଉପୁଜିଥିବା କମ୍ପାନୀ ଦିନ ପ୍ରାୟ ୧୧.୩୦ରେ କହିଥିଲା। ବିଭିନ୍ନ କାର୍ଯ୍ୟ ପରିଚାଳନାରେ ଏହା ବ୍ୟାଘାତ ସୃଷ୍ଟି କରିଥିବା କମ୍ପାନୀ ସ୍ପଷ୍ଟ କରିଥିଲା। ସେହିଭଳି ସମସ୍ୟାକୁ ତୁରନ୍ତ ସମାଧାନ କରିବା ଲାଗି ଉଦ୍ୟମ ଜାରି ରହିଥିବା କମ୍ପାନୀ କହିଥିଲା।

Share