ଇଣ୍ଡିପେଣ୍ଡେଣ୍ଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ : କୋମନା, ନୂଆପଡା ମଧ୍ୟରେ ଫାଇନାଲ ମ୍ୟାଚ୍‌

କୋମନା,୨୫।୮(ଡି.ଏନ.ଏ.)
ନୂଆପଡା ଜିଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେଣ୍ଟ କପ ଫୁଟବଲ ଟୁର୍ନାମେଣ୍ଟର ଦୁଇଟି ସେମି ଫାଇନାଲ ମ୍ୟାଚ୍‌ ଶେଷ ହୋଇଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ କୋମନା ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ଶନିବାର ପୂର୍ବାହ୍ନରେ ତରବୋଡ ଫୁଟବଲ ସଂଘ ପକ୍ଷରୁ ଆୟୋଜିତ ୨ୟ ସେମିଫାଇନାଲ ମ୍ୟାଚ୍‌ ନୂଆପଡା ଓ ଖରିଆର ରୋଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟଙ୍କ ମଧ୍ୟରେ କଡା ମୁକାବିଲା ହୋଇ କେହି କାହାକୁ ଗୋଲ ଦେଇ ନ ଥିଲେ। ଫଳରେ ପେନାଲଟି ଶୁଟଆଉଟର ଆଶ୍ରୟ ନିଆଯାଇଥିଲା। ଏଥିରେ ନୂଆପଡା ଦଳ ଖରିଆର ରୋଡ ଦଳକୁ ୫-୪ ଗୋଲରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି। କୋମନା ବ୍ଲକ ଚ୍ୟାରମେନ ମନୋଜ କୁମାର ମିଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ନୂଆପଡା ଜିଲା ଯୁବ ବିଜେଡି ସଭାପତି ରାଜେଶ ନିଗମ, ଯୁବ ବିଜେଡି ସମ୍ପାଦକ ହରିଶ୍ଚନ୍ଦ୍ର ପଣ୍ଡା, କୋମନା ବ୍ଲକ ଯୁବ ବିଜେଡି ସଭାପତି ମୁରଲିଧର ଭୋଇ, ତରବୋଡ ସମିତି ସଭ୍ୟା ଦମୟନ୍ତି ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମିଫାଇନାଲ ମ୍ୟାଚକୁ ହରିହର ସାହୁ, ବଳରାମ ସରାଫ, ଚଇତନ୍ୟ ମାଝି ଓ ଅମନ ଛତ୍ରିଆ ପରିଚାଳନା କରିଥିବା ବେଳେ ଭୋଜରାମ ଅହିର, ପରସରାମ ଅହିର ଏବଂ ଦୟାଲାଲ ଅହିର ଧାରାବିବରଣି ପ୍ରଦାନ କରିଥିଲେ। ଅନୁଷ୍ଠାନର ଆୟୋଜକ ସଭାପତି ଦୁଃଖଭଞ୍ଜନ ନାଏକ, ସମ୍ପାଦକ ଦୟାଲାଲ ଅହିର, ଉପସଭାପତି ଅଜୟ ଅହିର, ଉପଦେଷ୍ଟା ଭୋଜରାମ ଅହିର, ଅକ୍ଷୟ ଗହୀର, କୁମୁଦ ବନ୍‌ଛୋର, ଶୁକ୍ରୁ ଭୋଇ, ଅଜୟ ଗହିର ପ୍ରମୁଖ ସହଯୋଗ କରିଥିଲେ।

Share