Categories: ଖେଳ

ଇଣ୍ଡୋନେସିଆ ମାଷ୍ଟର୍ସ, ସିନ୍ଧୁ ଆଗେଇଲେ: ସାଇନା, ଶ୍ରୀକାନ୍ତ ବିଦା

ଜାକର୍ତ୍ତା, ୧୫।୧(ପି.ଟି.): ବିଶ୍ୱ ବିଜୟିନୀ ପି.ଭି. ସିନ୍ଧୁ ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ସୁପର ୫୦୦ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ଡିଫେଣ୍ଡିଂ ଚାମ୍ପିୟନ ସାଇନା ନେହ୍ବାଲ, ବି. ସାଇ ପ୍ରଣୀଥ୍‌, କିଡାମ୍ବୀ ଶ୍ରୀକାନ୍ତ ଓ ସମୀର ବର୍ମାଙ୍କୁ ନିରାଶ ହେବାକୁ ପଡ଼ିଛି। ପ୍ରଥମ ରାଉଣ୍ଡ ପରାଜୟ ସହ ଏହି ୪ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।
ହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ୫ମ ସିଡ୍‌ ସିନ୍ଧୁ ୧୪-୨୧, ୨୧-୧୫, ୨୧-୧୧ରେ ଜାପାନର ଆୟା ଓହରଙ୍କୁ ପରାସ୍ତ କରିଛନ୍ତି। ଓହରଙ୍କ ବିପକ୍ଷରେ ସିନ୍ଧୁ ୧୦ଥର ଖେଳିଥିଲେ ହେଁ କେବେ ବି ପରାଜୟର ସାମ୍ନା କରିନାହାନ୍ତି। ଗତ ସପ୍ତାହରେ ଶେଷ ହୋଇଥିବା ମାଲେସିଆ ମାଷ୍ଟର୍ସରେ ମଧ୍ୟ ସିନ୍ଧୁ ଏହି ଜାପାନ ଖେଳାଳିଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁଙ୍କ ମୁକାବିଲା ଜାପାନର ସାୟାକା ତାକାହାଶିଙ୍କ ସହ ହେବ। ସାୟାକା ଅନ୍ୟ ଏକ ମୁକାବିଲାରେ ୧୯-୨୧, ୨୧-୧୩, ୨୧-୫ ଗେମ୍‌ରେ ଲଣ୍ଡନ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ସାଇନାଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ବିଶ୍ୱ ମାନ୍ୟତାର ଦ୍ୱାଦଶ ସ୍ଥାନରେ ରହିଥିବା ଶ୍ରୀକାନ୍ତ ୨୧-୧୮, ୧୨-୨୧, ୧୪-୨୧ ଗେମ୍‌ରେ ଘରୋଇ ଖେଳାଳି ଶେସର ହିରେନ ରୁସ୍ତାଭିଟୋଙ୍କ ନିକଟରୁ ହାରିଯାଇଛନ୍ତି। ଲଗାତର ୨ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ ବିଦାୟ ନେଇଛନ୍ତି। ଗତ ସପ୍ତାହରେ ଅନୁଷ୍ଠିତ ମାଲେସିଆ ମାଷ୍ଟର୍ସର ପ୍ରଥମ ରାଉଣ୍ଡରେ ମଧ୍ୟ ସେ ପରାସ୍ତ ହୋଇଥିଲେ। ପ୍ରଣୀଥ୍‌ ମଧ୍ୟ ମାଲେସିଆ ମାଷ୍ଟର୍ସ ପରି ଏଠାରେ ପ୍ରଥମ ରାଉଣ୍ଡରେ ପରାଜୟ ସାମ୍ନା କରିଛନ୍ତି। ସେ ୨୧-୧୬, ୧୮-୨୧, ୧୦-୨୧ରେ ଚାଇନାର ଶି ୟୁ କ୍ୱି’ଙ୍କଠାରୁ ହାରିଯାଇଛନ୍ତି। ସୌରଭ ମଧ୍ୟ ଅନ୍ୟତମ ଚାଇନା ଖେଳାଳି ଲୁ ଗୁଆଙ୍ଗ ଜୁ’ଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ମିକ୍ସଡ ଡବଲ୍ସରେ ଭାରତର ପ୍ରଣବ ଜେରୀ ଚୋପ୍ରା ଓ ସିକ୍କି ରେଡ୍ଡୀଙ୍କୁ ନିରାଶ ହେବାକୁ ପଡ଼ିଛି।

Share