Categories: ଖେଳ

ଇଣ୍ଡୋ ଇଣ୍ଟରନ୍ୟାଶନାଲ କବାଡ଼ି ଆଜିଠାରୁ: ପୁଣେ- ହରିୟାଣା ଉଦ୍‌ଘାଟନୀ ମ୍ୟାଚ୍‌

ପୁଣେ,୧୩।୫(ପି.ଟି.)- ସୋମବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡୋ- ଇଣ୍ଟରନ୍ୟାଶନାଲ ପ୍ରିମିୟର କବାଡ଼ି ଲିଗ୍‌। ଉଦ୍‌ଘାଟନୀ ମ୍ୟାଚ୍‌ରେ ହରିୟାଣା ହିରୋଜ ଓ ଘରୋଇ ପୁଣେ ପ୍ରାଇଡ୍‌ ମୁହାଁମୁହିଁ ହେବେ। ସ୍ଥାନୀୟ ବେଲଓ୍ବାଡି ଷ୍ଟାଡିୟମରେ ଲିଗ୍‌ର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଆୟୋଜନ ହେବ। ପୁଣେରେ ଲିଗ୍‌ର ଆଉ ଅଧିକ ୨୦ଟି ମ୍ୟାଚ୍‌ ଖେଳାଯିବ। ଏହାପରେ ମହୀଶୂରରେ ଲିଗ୍‌ର କିଛି ମ୍ୟାଚ୍‌ ଖେଳାଯିବ ଓ ଶେଷରେ ବେଙ୍ଗାଲୁରୁରେ ଫାଇନାଲ ଲେଗ୍‌ ଆୟୋଜନ ହେବ।

୮ଟି ଫ୍ରାଞ୍ଚାଇଜ୍‌ ଟାଇଟଲ ପାଇଁ ମୁକାବିଲାରେ ଅବତୀର୍ଣ୍ଣ ହେବେ। ୨୩ ଦିନ ଧରି ଚାଲିବାକୁ ଥିବା ଏହି ଲିଗ୍‌ର ମୋଟ୍‌ ପୁରସ୍କାର ରାଶି ୪ କୋଟି ଟଙ୍କା ରଖାଯାଇଛି। ଦଳର ବିଜୟ ନେଇ ପୁଣେ ଅଧିନାୟକ ଦଲବୀର ମଲିକ୍‌ ବେଶ୍‌ ଆଶାବାଦୀ ଅଛନ୍ତି। ହରିୟାଣା ହିରୋଜ ଅଧିନାୟକ ଅମିତ୍‌ ମଧ୍ୟ ସମାନ ମତପୋଷଣ କରିଛନ୍ତି। କବାଡ଼ିକୁ ନେଇ ଦ୍ୱିତୀୟ ଲିଗ୍‌ ଆୟୋଜନ ହେବା ନିଶ୍ଚିତ ଭାବେ ବଡ଼କଥା। କବାଡ଼ି ପ୍ରତିଭା ଚିହ୍ନଟ ଓ ବିକାଶ ଦିଗରେ ଏହି ଲିଗ୍‌ ବେଶ୍‌ ସହାୟକ ହେବ। ଖେଳାଳିଙ୍କୁ ନୂଆ ପ୍ଲାଟ୍‌ଫର୍ମ ମିଳିବ ଓ ସେମାନେ ନିଜ ପ୍ରତିଭାକୁ ପ୍ରମାଣ କରିବାର ସୁଯୋଗ ପାଇବେ ବୋଲି ଅମିତ୍‌ କହିଛନ୍ତି।

Share