Categories: ଖେଳ

ଇଣ୍ଡୋ-ପାକ୍‌ ଡେଭିସ୍‌ କପ୍‌ ମ୍ୟାଚ: ଏଆଇଟିଏ-ଆଇଟିଏଫ୍‌ ଟେଲିକନ୍‌ଫରେନ୍ସ ପୁଣି ବାତିଲ

ନୂଆଦିଲ୍ଲୀ, ୨୧ା୮ (ପି.ଟି.)- ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ କପ୍‌ ମ୍ୟାଚ ଖେଳାଯିବା ସମ୍ପର୍କରେ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଏବଂ ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍‌)ର ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ମଙ୍ଗଳବାର ହେବାକୁଥିବା ଟେଲି-କନ୍‌ଫରେନ୍ସ ବାତିଲ ହୋଇଛି। ଫଳରେ କ୍ରମାଗତ ଦୁଇ ଦିନ ଧରି ବୈଠକ ବସିପାରି ନାହିଁ। ଟେଲି କନଫରେନ୍ସରେ ଭାରତର ଅଣ ଖେଳାଳି ଡେଭିସ କପ୍‌ ଅଧିନାୟକ ମହେଶ ଭୂପତି ଭାଗ ନେବେ। ଏହି ବୈଠକ ପୁଣି କେବେ ହେବ ତାହା ସ୍ଥିର ହୋଇ ନ ଥିବା ସେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ଡେଭିସ୍‌ କପ୍‌ କମିଟି ବୈଠକ ବୁଧବାର ବସୁଛି। ଆଇଟିଏଫ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜଷ୍ଟିନ୍‌ ଆଲବର୍ଟ ଉପଲବ୍ଧ ହେଉ ନ ଥିବାରୁ ସୋମବାର ବୈଠକ ସମ୍ଭବ ହୋଇ ନ ଥିଲ। ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଡେଭିସ୍‌ କପ୍‌ ମ୍ୟାଚ୍‌ ଇସ୍‌ଲାମାବାଦରେ ଖେଳଯିବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଇତିିମଧ୍ୟରେ ଜମ୍ମୁ-କଶ୍ମୀର ଉପରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ଭାରତ ସହିତ ପାକିସ୍ତାନର କୂଟନୈତକି ସମ୍ପର୍କରେ ଅବନ୍ନତି ଘଟିଛି। ସୁରକ୍ଷାଗତ କାରଣରୁ ଏହି ମ୍ୟାଚ ପାକିସ୍ତାନ ପରିବର୍ତ୍ତେ ଏକ ନିରପେକ୍ଷ ଭେନ୍ୟୁରେ ଖେଳାଯାଉ ବୋଲି ଏଆଇଟିଏ ପକ୍ଷରୁ ହେଉଥିବା ଦାବିକୁ ଆଇଟିଏଫ୍‌ ଦୁଇଥର ପ୍ରତ୍ୟାଖ୍ୟାନ କରିସାରିଛି। ହେଲେ ଶେଷରେ ଏହି ପ୍ରସଙ୍ଗ ନେଇ ଏଆଇଟିଏର ପ୍ରତିନିଧିଙ୍କ ସହିତ ଟେଲିକନଫରେନ୍ସ ଜରିଆରେ ଆଲୋଚନା କରିବା ଲାଗି ଆଇଟିଏଫ୍‌ ରାଜି ହୋଇଛି।

Share