ଇତିହାସ ଅଧ୍ୟାପକ ପରୀକ୍ଷା ବାତିଲ୍‌ କଲେ ହାଇକୋର୍ଟ: ସାନି ପରୀକ୍ଷା ପାଇଁ ଆଦେଶ

କଟକ ଅଫିସ, ୧୯।୧୨ : ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକ ନିମନ୍ତେ ୮୧ଟି ଇତିହାସ ଅଧ୍ୟାପକ ପଦବୀ ପାଇଁ ଗତ ମାର୍ଚ୍ଚ ୧୦ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାତ୍ର ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ରହିଥିଲା। ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ ଏହାକୁ ଗୁରୁତ୍ୱ ଦେଇ ନ ଥିଲା। ଫଳରେ ଏ ସମ୍ପର୍କରେ ସଂଗ୍ରାମ ସାହୁ, ଜିତେନ୍ଦ୍ର ପଲାଇଙ୍କ ସମେତ ୧୮ ଜଣ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଉକ୍ତ ପରୀକ୍ଷାକୁ ରଦ୍ଦ କରିବା ସହିତ ସାନି ପରୀକ୍ଷା ପାଇଁ ସିଲେକ୍ସନ ବୋର୍ଡକୁ ଆଦେଶ ଦେଇଛନ୍ତି। ସାନି ପରୀକ୍ଷା ନିମନ୍ତେ ନୂଆ ଆଡମିଟ କାର୍ଡ ଇସୁ କରାଯିବନାହିଁ। ଯେଉଁମାନେ ଗତ ମାର୍ଚ୍ଚ ୧୦ ତାରିଖରେ ହୋଇଥିବା ପରୀକ୍ଷାରେ ସାମିଲ ହୋଇଥିଲେ ସେମାନଙ୍କୁ କେବଳ ସାନି ପରୀକ୍ଷାରେ ସୁଯୋଗ ମିଳିବ ବୋଲି ହାଇକୋର୍ଟ କହିଛନ୍ତି। ଏହାବାଦ୍‌ ହେବାକୁ ଥିବା ସାନି ପରୀକ୍ଷା ପ୍ରଶ୍ନପତ୍ରକୁ ନିର୍ଭୁଲ ରଖିବା ପାଇଁ ମଧ୍ୟ ହାଇକୋର୍ଟ ସିଲେକ୍ସନ ବୋର୍ଡକୁ ତାଗିଦ୍‌ କରିଛନ୍ତି। କୋର୍ଟ କହିଛନ୍ତି, ପରୀକ୍ଷା ପରିଚାଳନାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବା ଆବଶ୍ୟକ। ଅନେକ ଆଶାୟୀ କଷ୍ଟ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ଏଭଳି ଘଟଣା ସେମାନଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଛି। ତେଣୁ ସିଲେକ୍ସନ ବୋର୍ଡ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ।

Share