ଇତିହାସ ରଚିବ ଭାଜପା ନେତାଙ୍କ ଝିଅ ବିବାହ ଖର୍ଚ୍ଚ

ବେଙ୍ଗାଲୁରୁ,୧।୩: କର୍ନାଟକ ଭାରତୀୟ ଜନତାପାର୍ଟି(ଭାଜପା)ର ସଙ୍କଟମୋଚକ ଭାବେ ପରିଚିତ ଦଳିତ ନେତା ତଥା କର୍ନାଟକ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବି.ଶ୍ରୀରାମୁଲୁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମାର୍ଚ୍ଚ ୫ରେ ବି.ଶ୍ରୀରାମୁଲୁଙ୍କ ଝିଅ ରକ୍ଷିତାଙ୍କର ବିବାହ ହେବାକୁ ଯାଉଛି। ହାଇଦ୍ରାବାଦର ଉଦ୍ୟୋଗପତି ରବି କୁମାରଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ଏବେଠାରୁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି ବୋଲି କୁହାଯାଉଛି। ଏବେ ବି.ଶ୍ରୀରାମୁଲୁ ତାଙ୍କ ବନ୍ଧୁ ତଥା ଖଣି ମାଫିଆ ଜି. ଜନାର୍ଦ୍ଦନ ରେଡ୍ଡୀଙ୍କୁ ପଛରେ ପକାଇ ଦେବେ ବୋଲି କୁହାଯାଉଛି। ଏହା ଚଳିତ ଦଶକର ସବୁଠାରୁ ବ୍ୟୟବହୁଳ ବିବାହ ହେବ ବୋଲି କୁହାଯାଉଛି। ୨୦୧୬ରେ ଜି ଜନାର୍ଦ୍ଦନ ରେଡ୍ଡୀଙ୍କ ଝିଅ ବ୍ରାହ୍ମଣୀଙ୍କ ବିବାହରେ ସବୁଠାରୁ ଅଧିକ ଖର୍ଚ୍ଚ ହୋଇଥିବା ବେଳେ ଏବେ ଏହି ରେକର୍ଡ ‘ରକ୍ଷିତା’ଙ୍କ ନାମରେ ହେବ ବୋଲି ଆଲୋଚନା ହେଉଛି। ମାର୍ଚ୍ଚ ୨୭ରୁ ଏହାର ପୂର୍ବକର୍ମ ଆରମ୍ଭ ହୋଇଗଲାଣି। ଏଥିରେ ବଡବଡ ରାଜନେତାଙ୍କ ସହ ପାଖାପାଖି ୫ଶହ ପୂଜାରୀ ଯୋଗଦେବେ। ଏମାନଙ୍କ ପାଇଁ ବେଙ୍ଗାଲୁରୁରେ ବିଶେଷ ବ୍ୟବସ୍ଥା କରାଯାଇଛି। ଏଥିରେ ୫ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ୧ ଲକ୍ଷ କାର୍ଡ ପ୍ରସ୍ତୁତ କରାଯାଇଛି। କାର୍ଡ ଭିତରେ କେଶର, ଗୁଜୁରାତି, ସିନ୍ଦୁର, ହଳଦି ପାଉଡର ଓ ଅକ୍ଷତ ରଖାଯାଇଛି। ଏହି ବିବାହ ପ୍ୟାଲେସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ଯାହାର କ୍ଷେତ୍ରଫଳ ପାଖାପାଖି ୪୦ ଏକର। ଏଥିମଧ୍ୟରୁ ୨୭ ଏକରରେ ବିବାହର ଆୟୋଜନ କରାଯାଉଥିବା ବେଳେ ୧୫ ଏକର ପାର୍କିଂ ପାଇଁ ରଖାଯାଇଛି। ବଲିଉଡର ଆର୍ଟ ଡାଇରେକ୍ଟର ବିବାହ ମଣ୍ଡପ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଦୀପିକା ପାଦୁକୋନଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କ ସହ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହରେ ଆସିଥିବା ଭିଡିଓଗ୍ରାଫର ଆସିବେ। ଡାଇନିଂ ହଲ୍‌ ଏମିତି ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଏକାସାଙ୍ଗେ ୭ ହଜାର ଲୋକ ବସି ପାରିବାର ସୁବିଧା ରହିଛି।

Share