ଇତିହାସ ରଚିଲା ଓଲିଉଡ୍‌: ଆମେରିକାରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଛବିରାଣୀ’

କଟକ ଅଫିସ,୨୩ା୧୧: ଆଠ ଦଶନ୍ଧି ଅତିକ୍ରମ କରିବା ପରେ ଓଡ଼ିଆ ସିନେ ଜଗତ ତଥା ଓଲିଉଡ୍‌ ଏକ ଭିନ୍ନ ଧରଣରେ ଇତିହାସ ରଚିଛି। ପ୍ରଥମଥର ନିମନ୍ତେ ଓଡ଼ିଶାର ଏକ ଫିଲ୍ମ ଆମେରିକାର ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଛବିରାଣୀ’ ଆମେରିକା ବୋଷ୍ଟନ ସହରର ବେଲମସ୍‌ ଫୋର୍ଡ ହଲ୍‌ରେ ଶନିବାର ସନ୍ଧ୍ୟା ୬ଟା(ଭାରତୀୟ ସମୟ-ରବିବାର ଭୋର୍‌ ୪ଟା)ରେ ମୁକ୍ତିଲାଭ କରିବ। ଓଡ଼ିଆ ସୋଶାଇଟ୍‌ ଅଫ ନ୍ୟୁ ଲଙ୍ଗଲ୍ୟାଣ୍ଡ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ସର୍କିଟ ହାଉସରେ ଶୁକ୍ରବାର ଆୟୋଜିତ ଖବରଦାତାରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବବି ଇସ୍‌ଲାମ ଉପସ୍ଥିତ ରହି ମୁକ୍ତିଲାଭ ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲେ। ପ୍ରବାସୀ ଓଡ଼ିଆ ଅକ୍ଷୟ ମହାନ୍ତି, ଦେବଦତ୍ତ ବେହେରା, ସୂର୍ଯ୍ୟ ମହାପାତ୍ର ଓଡ଼ିଆ ସିନେ ଜଗତକୁ ଆଉ ଏକ ପାଦ ଆଗକୁ ନେବା ନିମନ୍ତେ ଏହି ପଦକ୍ଷେପ ନେଇଛନ୍ତି। ଏହି ସମ୍ମିଳନୀରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ, ନାୟକ ଅମନ ପରାସର, ସନ୍ଦୀପ ପାଣି, ବାବୁ ପ୍ରଧାନ, ମିଟୁ ମିଥୁନ, ମୁଖ୍ୟ ବ୍ୟବସ୍ଥାପକ ଚିତ୍ତରଞ୍ଜନ ଆଚାର୍ଯ୍ୟ, ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଅନ୍ୟ ଦେଶର ସିନେମା ହଲ୍‌ରେ ଏହାକୁ ମୁକ୍ତିଲାଭ କରିବାକୁ ଚେଷ୍ଟା କରାଯାଉଛି ବୋଲି ନିର୍ଦ୍ଦେଶକ ଇସ୍‌ଲାମ କହିଥିଲେ। ଅନ୍ୟପକ୍ଷରେ କିଛିଦିନ ପୂର୍ବେ ଚଳଚ୍ଚିତ୍ରକୁ ନେଇ ଜଣେ ଯୁବକ ଭୁଲ୍‌ ତଥ୍ୟ ଦେବା ସହ ପ୍ରଚାର, ପ୍ରସାରରେ ବାଧା ଉପୁଜାଇବାକୁ ଚେଷ୍ଟା କରିଥିଲେ। ଯାହା ଓଲିଉଡ୍‌ ପାଇଁ କ୍ଷତି ପହଞ୍ଚାଇବା ଉକ୍ତ ଯୁବକଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ଇସ୍‌ଲାମ ଏହି ଅବସରରେ କହିଛନ୍ତି। ସୂଚନାଥାଉ କି, ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଓ ବୀରେନ ମହାପାତ୍ରଙ୍କ ଦ୍ୱାରା ପ୍ରଯୋଜନାରେ ନିର୍ମାଣ ହୋଇଥିବା ଛବିରାଣୀ ଚଳଚ୍ଚିତ୍ର ଓଡ଼ିଶାରେ ଗତ ସେପ୍ଟେମ୍ବର ୧୯ରେ ମୁକ୍ତିଲାଭ କରିଥିଲା।