ଷ୍ଟକହୋମ୍,୧୧।୧୦: ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲିଙ୍କୁ ଶାନ୍ତି ପାଇଁ ୨୦୧୯ର ନୋବେଲ ପୁରସ୍କାର ଦିଆଯାଇଛି। ଇଥିଓପିଆର ଚୀର ଶତ୍ରୁ ଇରିଟ୍ରିଆ ସହ ଚାଲିଥିବା ସଂଘର୍ଷର ସରଳ ସମାଧାନ କରିଥିବାରୁ ତାଙ୍କୁ ଏହି ଶାନ୍ତି ପୁରସ୍କାର ଦିଆଯାଇଛି। ଚୟନକର୍ତ୍ତାଙ୍କ ମତଥିଲା ଅବି ଶାନ୍ତି ଓ ଅନ୍ତରାଷ୍ଟ୍ରୀୟ ସହଯୋଗ ପାଇଁ ଯେଉଁ ପ୍ରୟାସ କରିଥିଲେ ବିଶେଷ କରି ତାଙ୍କ ପଡୋଶୀ ଦେଶ ଇରିଟ୍ରିଆର ସୀମାରେ ଚାଲିଥିବା ସଂଘର୍ଷକୁ ନେଇ ସେ ଯେଉଁ ନିର୍ଣ୍ଣୟ ନେଇଥିଲେ ସେଥିପାଇଁ ତାଙ୍କୁ ଶାନ୍ତି ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ, ଶାସନ କ୍ଷମତାକୁ ଆସିବା ପରେ ଅବି ମହିଳାମାନଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଉତ୍ସାହିତ କରିଥିଲେ। ତାଙ୍କ ସରକାର ସମୟରେ ୨୦ ମନ୍ତ୍ରୀ ପଦ ମଧ୍ୟରୁ ଅଧା ଥିଲେ ମହିଳା। ଯେଉଁଥିରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ପ୍ରଥମଥର ସେ ଜଣେ ମହିଳାଙ୍କୁ ଦାୟିତ୍ୱ ଦେଇଥିଲେ। ସେ ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ବହନ କଲେ ସେତେବେଳେ ସେ ସ୍ପଷ୍ଟ କରିଥିଲେ କି ପ୍ରଥମେ ସେ ଇରିଟ୍ରିଆ ସହ ଶାନ୍ତି କଥାବର୍ତ୍ତା କରିବେ।