Categories: ଖେଳ

ଇଦ୍‌ଘାନୀ ଟି୨୦: ଖେଳିପାରନ୍ତି ଶିବମ୍‌ ଦୁବେ

ନୂଆଦିଲ୍ଲୀ,୨ା୧୧(ପି.ଟି.): ରବିବାର ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେଙ୍କୁ ସୁଯୋଗ ମିଳିପାରେ। ଭାରତର କାମଚଳା ଅଧିନାୟକ ରୋହିତ ଶର୍ମା ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଦୁବେଙ୍କ ବ୍ୟତୀତ କେରଳ ଉଇକେଟକିପର ସଞ୍ଜୁ ସାମସନଙ୍କ ଅଭିଜ୍ଞତାକୁ ତାରିଫ କରିଛନ୍ତି। ହେଲେ ଏହି ଦୁଇଜଣଙ୍କ ମଧ୍ୟରୁ ସେ ଜଣଙ୍କୁ ତାଙ୍କ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବେ। ଯୁବ ଉଇକେଟକିପର ରିଷଭ ପନ୍ତଙ୍କ ସପକ୍ଷରେ ଯେପରି କହୁଛନ୍ତି ଦୁବେଙ୍କୁ ପଦାର୍ପଣ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। ନିୟମିତ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଥିବାରୁ ରୋହିତ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ପନ୍ତ ସ୍ଥାନୀୟ ଖେଳାଳି ହୋଇଥିବା ତାଙ୍କୁ ଦଳରେ ସୁଯୋଗ ମିଳିବା ସମ୍ଭାବନା ଅଧିକ। ରୋହିତ କହିଛନ୍ତି, ରିଷଭ ମାତ୍ର ୧୫ରୁ ୨୦ ଟି୨୦ ଖେଳିଛନ୍ତି। ତେଣୁ ତାଙ୍କର ଦକ୍ଷତା ଉପରେ ଏତେ ଶୀଘ୍ର ମନ୍ତବ୍ୟ ଦେବା ଠିକ୍‌ ହେବନାହିଁ। ଯୁବପିଢ଼ି ଭାରତ ପାଇଁ ବହୁ ବିକଳ୍ପ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରେ ସଞ୍ଜୁ ହେଉଛନ୍ତି ଅନ୍ୟତମ। ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ରେ ଏହି ଖେଳାଳିଙ୍କ ପ୍ରଦର୍ଶନ ଖୁବ୍‌ ଭଲ ରହିଛି। ଶିବମ ଗତବର୍ଷ ଏହି ର଼୍ୟାଙ୍କ୍‌ରେ ପହଞ୍ଚତ୍ୟାଇଛନ୍ତି। ବିଶେଷ ଭାବେ ଲୋକଲୋଚନକୁ ଆସି ନ ଥିବା ଏହି ଖେଳାଳି ଗତବର୍ଷ ଆଇପିଏଲ ନିଲାମିରେ ଭଲ ଦାମ୍‌ରେ ବିକ୍ରି ହେବାପରେ ଅନ୍ୟମାନଙ୍କ ନଜରକୁ ଆସିଥିଲେ। ରୋହିତ କହିଛନ୍ତି, ପିଚ୍‌ର କଣ୍ଡିଶନ ଦେଖି ଚୂଡ଼ାନ୍ତ ଦଳ ସ୍ଥିର କରାଯିବ। ପିଚ୍‌ ଯଦି ସ୍ଲୋ ରୁହେ ତେବେ ସ୍ଲୋ ବୋଲରଙ୍କ ବିଶେଷ ଭୂମିକା ରହିବ। ଆମକୁ ୩ ସ୍ପିନର ନେଇ ଖେଳିବାକୁ ହେବ। ପିଚ୍‌ରେ ଯଦି ଘାସ ରହିଥାଏ ତେବେ ବଲ୍‌ କିଛି ପରିମାଣରେ ବାଉନ୍ସ କରିବ। ଏ କ୍ଷେତ୍ରରେ ଆମକୁ ୩ ସ୍ପିନରଙ୍କୁ ନେଇ ଖେଳିବାକୁ ପଡ଼ିବ।

Share