ଇଦ୍‌ରେ ଖୋଲିବନି ମସଜିଦ୍‌: ସରକାରୀ କଟକଣାରେ ହସ୍ତକ୍ଷେପ କରିବାକୁ ମନା କଲେ ଆହ୍ଲାବାଦ୍‌ ହାଇକୋର୍ଟ

ଲକ୍ଷ୍ନୌ,୨୦।୫: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିତ୍ବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଧାର୍ମିକ ସ୍ଥଳ ବନ୍ଦ ରଖିବାକୁ ସରକାରୀ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ଏପରିସ୍ଥଳେ ରମଜାନ୍‌ ଇଦ୍‌ ମେ ୨୫ରେ ପଡୁଥିବାରୁ ମସଜିଦ୍‌ରେ ସାମୁହିକ ନମାଜ ପାଠ ମଧ୍ୟ ବନ୍ଦ ରହିବ। ଇଦ୍‌ ଅବସରରେ ଉତ୍ତରପ୍ରଦେଶରେ ମସଜିଦ୍‌ ଏକଘଣ୍ଟା ଖୋଲିବା ପାଇଁ ଏକ ଆବେଦନ ଆହ୍ଲାବାଦ୍‌ ହାଇକୋର୍ଟରେ କରାଯାଇଥିଲା। ଏହାକୁ କୋର୍ଟ ଖାରଜ କରିବା ସହିତ ସରକାରୀ କଟକଣାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ତେବେ ଏନେଇ ପ୍ରଥମେ ସରକାରଙ୍କ ପାଖରେ ଆବେଦନ କରିବାକୁ ପଡ଼ିବ। ସେଠାରେ ଆବେଦନ ଖାରଜ ହେଲେ ଏହାର ବିଚାର ହାଇକୋର୍ଟରେ ହେବ ବୋଲି ଆବେଦନର ବିଚାର କରି ଏପରି ରାୟ ଦିଆଯାଇଛି। ଆଇନଜୀବୀ ଶାହିଦ୍‌ ଅଲ୍ଲୀ ସିଦ୍ଧିକ୍‌ଙ୍କ ଆବେଦନ ଉପରେ ବିଚାର କରି କୋର୍ଟ କହିଛନ୍ତି ଯେ, ସବୁ ଦାବି ପାଇଁ ହାଇକୋର୍ଟ ଆସିବା ଉଚିତ ନୁହେଁ।

Share