ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ନିଆଯିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯିବା ସହ ଶହ ଶହ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ହେଲେ ଏବେ ସେଠାକାର ସ୍ଥିତି ସ୍ବାଭାବିକ ଥିବାରୁ ଜମ୍ମୁର ୫ ଜିଲାରୁ ୧୪୪ ଧାରା ଉଠାଇ ଦିଆଯାଇଛି। ଏହାସହ ଶନିବାର ଜମ୍ମୁ-କଶ୍ମୀରର ସମସ୍ତ ଶିକ୍ଷାନୁଷ୍ଠାନକୁ ଖୋଲି ଦିଆଯାଇଛି। ଅନ୍ୟପଟେ ଆଗକୁ ଇଦ୍ ଥିବାରୁ କିଛି ଆକ୍ରମଣ ଘଟଣା ଘଟିବାର ସମ୍ଭାବନା ଥିବାରୁ ଏବେବି ଲୋକେ ଆତଙ୍କିତ ରହିଥିବା କୁହାଯାଉଛି। ହେଲେ ଶନିବାର ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ସୂଚନା ଦେଇଛନ୍ତି କି ଜମ୍ମୁ-କଶ୍ମୀରରେ ଇଦ୍ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଯେତେ ସମ୍ଭବ ଲୋକମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଲୋକେ ବିନା ଭୟରେ ଶାନ୍ତିର ସହ ଇଦ୍ ପାଳନ କରିବେ ବୋଲି ସେ କହିଛନ୍ତି।