Categories: ଖେଳ

ଇନିଂସ ଘୋଷଣା କଲା ଭାରତ

ବିଶାଖାପାଟଣା,୩।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ତା’ର ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୫୦୨ ରନ୍‌ କରିଥିବାବେଳେ ପ୍ରଥମ ଇନିଂସ ଘୋଷଣା କରିଛି। ଭାରତୀୟ ଦଳ ତା’ର ଅସମାପ୍ତ ସ୍କୋର ୨୦୨/୦ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲ ପୂର୍ବ ଦିନ ଭଳି ଗୁରୁବାର ମଧ୍ୟ ସତର୍କତା ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ୧୭୬ ରନ୍‌ କରିଥିବା ରୋହିତ କେଶବ ମହାରାଜଙ୍କ ବଲରେ କ୍ୱିଣ୍ଟନ ଡି’କକ୍‌ଙ୍କ ହାତରେ କ୍ୟାଚ୍‌ ହୋଇ ପ୍ୟାଭିଲିଅନ ଫେରିଥିଲେ। ତାଙ୍କ ପରେ ଅଗ୍ରଓ୍ବାଲ କ୍ୟାରିୟରର ପ୍ରଥମ ଦ୍ୱିଶତକ ଅର୍ଜନ କରିବା ପରେ ଡିନ ଏଲଗାରଙ୍କ ବଲରେ ଡାନେ ପିଟ୍‌ଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଆଉଟ୍‌ ହେବା ପୂର୍ବରୁ ଅଗ୍ରଓ୍ବାଲ ୩୭୧ ବଲର ସମ୍ମୁଖୀନ ହୋଇ ୨୧୫ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୨୩ ଚୌକା ଓ ୬ ଛକା ସାମିଲ ଥିଲା। ଦୁଇ ଓପନର ଆଉଟ୍‌ ହେବା ପରେ ମଧ୍ୟକ୍ରମର କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଚେତେଶ୍ୱର ପୂଜାରା ୬, ଅଧିନାୟକ ବିରାଟ କୋହଲି ୨୦, ଅଜିଙ୍କ୍ୟ ରାହାନେ ୧୫, ଅନୁମା ବିହାରୀ ୧୦ ଓ ରିଦ୍ଦିମାନ ଶାହ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଫଳରେ ଭାରତୀୟ ଦଳ ୧୩୬ ଓଭର ଖେଳି ୭ ଉଇକେଟ ହରାଇ ୫୦୨ ରନ୍‌ କରିଥିବାବେଳେ କୋହଲି ଇନିଂସ ସମାପ୍ତି ଘୋଷଣା କରିଥିଲେ। ଭ୍ରମଣକାରୀ ଦଳ ପାଇଁ ମହାରାଜ ୩ ଉଇକେଟ ନେଇଥିବାବେଳେ ସେନୁରାନ ମୁଥୁସାମି, ଡିନ ଏଲଗାର, ବର୍ନନ ଫିଲାଣ୍ଡର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share