Categories: ରାଜ୍ୟ

ଇନ୍ଦିରା ଆବାସ, ବିଜୁ ପକ୍କାଘର ଯୋଜନାରେ ଘୋଟାଲା: ୮୩୬ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଗତ ୨୦ବର୍ଷ ହେବ ବିଜେଡି ହାତରେ ରାଜ୍ୟ ଶାସନ ଭାର ରହିଛି। ଲୋକମାନଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେବା ନେଇ ବିଜେଡି ବାହାବା ନେଉଛି। ୩-ଟି, ୫-ଟି ମନ୍ତ୍ର ନେଇ ବିଧାୟକଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ଲୋକମାନଙ୍କ ସେବା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ଏସବୁକୁ ସରକାରୀ ବାବୁମାନେ ତିଳେମାତ୍ର ଖାତିର କରୁନାହାନ୍ତି। ତୃଣମୂଳସ୍ତରରୁ ଉପର ଯାଏ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଛି। କେବଳ ପଞ୍ଚାୟତିରାଜ ବିଭାଗକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ଦୁର୍ନୀତି କେଉଁ ସ୍ତରରେ ପହଞ୍ଚିଛି ତାହା ସହଜରେ ଅନୁମାନ କରାଯାଇପାରେ। ଗତ ୨ ବର୍ଷରେ ରାଜ୍ୟରେ ଇନ୍ଦିରାଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ ବିଜୁ ପକ୍କା ଘର ଯୋଜନାରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ପକ୍କାଘରରେ ପୁଳାପୁଳା ଦୁର୍ନୀତି ହେଉଥିବା ପଦାକୁ ଆସିଛି। ଖୋଦ ସରକାର ମଧ୍ୟ ଏକଥା ସ୍ବୀକାର କରିଛନ୍ତି। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ୨୦୧୭ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଇନ୍ଦିରା ଆବାସ ଯୋଜନା(ପିଏମ୍‌ଏଓ୍ବାଇ), ଧାନଖଳା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଟିିଏଫ୍‌ସି, ଏଫ୍‌ଏଫ୍‌ସି ବହୁ ଦୁର୍ନୀତି ଅଭିଯୋଗ ହୋଇଛି। ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାର କାରଣ କ’ଣ ବୋଲି ପଚାରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ୨୦୧୭ରୁ ଏପର୍ଯ୍ୟନ୍ତ ଆଇଏଓ୍ବାଇ- ପିଏମ୍‌ଏଓ୍ବାଇ, ବିଜୁ ପକ୍କା ଘର ଯୋଜନାରେ ୮୩୬ଜଣ ଅଧିକାରୀ ଦୁର୍ନୀତିରେ ଜଡ଼ିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଯାଜପୁରରେ ସର୍ବାଧିକ ୧୬୨ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ଅନୁଗୋଳ ୪୦, ବାଲେଶ୍ୱର ୨୪, ବରଗଡ଼ ୧୮, ଭଦ୍ରକ ୬୧, ଢେଙ୍କାନାଳ ୬୦, କନ୍ଧମାଳ ୫୯, ଖୋର୍ଦ୍ଧା ୪୬, ନବରଙ୍ଗପୁର ୮୯, ନୂଆପଡ଼ା ୮୧, ସମ୍ବଲପୁର ୩୩ ଏବଂ ସୁନ୍ଦରଗଡ଼ରେ ସର୍ବାଧିକ ୫୮ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୨୨ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ୩୫ ଜଣଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରାଯାଇଛି। ସେହିପରି ୭୯ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ୨୬୮ଜଣଙ୍କୁ କାର୍ଯ୍ୟରୁ କାହିଁକି ଅନ୍ତର କରା ନ ଯିବ ଏ ନେଇ କାରଣ ଦର୍ଶାଅ ଏବଂ ୪୩୨ଜଣଙ୍କୁ ଦୁର୍ନୀତି ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Share