ଇନ୍ଦୋର,୮।୬: ମଧ୍ୟ ପ୍ରଦେଶର ଇନ୍ଦୋର ଜିଲାରେ କରୋନା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ଏକ ବୈଠକର ଆୟୋଜନ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଇନ୍ଦୋରରେ କରୋନା ସୁସ୍ଥ ହାର ୬୪ ପ୍ରତିଶତରୁ ଅଧିକ ରହିଛି ତେଣୁ ସ୍ଥିତି ଆୟତରେ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ। କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ୫୦ଲକ୍ଷ ଟଙ୍କା କରୋନା ଯୋଦ୍ଧାଙ୍କ ପରିବାରକୁ ଦେବାକୁ ଚିନ୍ତା କରିଛନ୍ତି। ଏହାସହ ଆବଶ୍ୟକ ସ୍ଥଳରେ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଯୋଗାଇ ଦେବେ ବୋଲି ମଧ୍ୟ କହିଛନ୍ତି ଶିବରାଜ। ସୂଚନାଯୋଗ୍ୟ, ଏବେ ମଧ୍ୟ ପ୍ରଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୦୧ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨,୬୫୮ ଜଣଙ୍କର ଚିକିତ୍ସା ଚାଲିଛି।