ଇନ୍ଦୋରରେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଇନ୍ଦୋର,୯।୪: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ କରୋନା ଯୋଦ୍ଧା ମଧ୍ୟ ସଂକ୍ରମିତ ହେଉଛନ୍ତି। ବିଭିନ୍ନ ରାଜ୍ୟରେ କେତେକ ଡାକ୍ତର, ନର୍ସ ଓ ପୋଲିସ କର୍ମୀ ସଂକ୍ରମିତ ହେଉଥିବା ନଜିର ରହିଛି। ଇତିମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଇନ୍ଦୋରରେ ଜଣେ କରୋନା ପଜିଟିଭ୍‌ ଡାକ୍ତରଙ୍କ ମୃତ୍ୟୁ ହେବା ପରେ ସହରରେ ଆତଙ୍କ ଖେଳିଯାଇଛି। କେବଳ ଇନ୍ଦୋରରେ ଏପର୍ଯ୍ୟନ୍ତ କରୋନାରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୨୧୩ ଛୁଇଁଛି। ସେହିପରି ପୁରା ରାଜ୍ୟରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୩୯୨ ହୋଇଥିବା ବେଳେ ଏଥିରେ ୩୧ଜଣଙ୍କ ମୃତ୍ୟୁ ହୋଇସାରିଛି। ସୂଚନା ମୁତାବକ ମଧ୍ୟପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଇନ୍ଦୋର ଏବେ କରୋନା ଭାଇରସ୍‌ର କେନ୍ଦ୍ର ପାଲଟିଥିବା କୁହାଯାଉଛି।

Share