ଇନ୍ଦୋର ଉଦାହରଣ ଦେଇ ବୁଝାଇଲେ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ସେହିଭଳି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବାହାବା ସାଉଣ୍ଟିଛନ୍ତି ରାଜ୍ୟ ସରକାର। ତେବେ ଏହି ପରିପ୍ରେକ୍ଷୀରେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସ୍ବଚ୍ଛ ସହର ଓ ସ୍ବାର୍ଟ ସହରର ଉଦାହରଣ ଦେଇଛନ୍ତି। ସେ ଦୁଇ ସହର ଇନ୍ଦୋର ଓ ଭୁବନେଶ୍ୱର ମଧ୍ୟରେ କରୋନା ସ୍ଥିତିର ତୂଳନାତ୍ମକ ଉପସ୍ଥାପନା କରିଥିଲେ। ସେ କହିଲେ, ଇନ୍ଦୋର ହେଉଛି ଦେଶର ନମ୍ବର ୱାନ୍‌ ସ୍ବଚ୍ଛ ସହର। ଏଠାରେ ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ରହିଛି। ଦେଶର ୧୭୦ କରୋନା ହଟ୍‌ସ୍ପଟ ମଧ୍ୟରେ ଇନ୍ଦୋର ମଧ୍ୟ ରହିଛି। ମାର୍ଚ୍ଚ ୨୫ରେ ଏଠାରେ ପ୍ରଥମ କରୋନା ପଜିଟିଭ୍‌ କେସ୍‌ ଆସିଥିବାବେଳେ ସେହିଦିନରୁ ହିଁ ଲକଡାଉନ୍‌ ଘୋଷଣା ହୋଇଥିଲା। ସୋମବାର ସକାଳ ୯ଟା ୩୦ ସୁଦ୍ଧା ମୋଟ୍‌ ପଜିଟିଭ୍‌ ସଂଖ୍ୟା ୮୯୨ ଥିବାବେଳେ ମୃତ୍ୟୁ ସଂଖ୍ୟା ୪୯ ରହିଛି, ଭାରତର ମୋଟ ମୃତ୍ୟୁ ସଂଖ୍ୟାର ଏହା ହେଉଛି ୯.୦୨ ପ୍ରତିଶତ। ଅନ୍ୟପକ୍ଷରେ ଭୁବନେଶ୍ୱର ଦେଶର ଏକ ନମ୍ବର ସ୍ମାର୍ଟସିଟି। ଏଠାରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ରହିଛନ୍ତି। ଦେଶର ୧୭୦ କରୋନା ହଟ୍‌ସ୍ପଟ ମଧ୍ୟରେ ଭୁବନେଶ୍ୱର ମଧ୍ୟ ରହିଛି। ଏଠାରେ ମାର୍ଚ୍ଚ ୧୬ରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା, କିନ୍ତୁ ୨୨ ମାର୍ଚ୍ଚରେ ଲକଡାଉନ ଘୋଷଣା ହୋଇଥିଲା। ସୋମବାର ସକାଳ ୯ଟା ୩୦ ସୁଦ୍ଧା ମୋଟ ପଜିଟିଭ୍‌ ସଂଖ୍ୟା ୪୬ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି, ଯାହା ଭାରତର ମୋଟ ମୃତ୍ୟୁ ସଂଖ୍ୟାର ୦.୧୮ ପ୍ରତିଶତ। ତେବେ ଅନେକ କ୍ଷେତ୍ରରେ ଭୁବନେଶ୍ୱର କରୋନା ମୁକାବିଲାରେ ଦେଶର ଏକ ନମ୍ବର ସ୍ବଚ୍ଛ ସହରଠାରୁ ଆଗରେ ରହିଛି। କିନ୍ତୁ ରାଜଧାନୀବାସୀ ଅବୁଝା ଭଳି ହେଉଛନ୍ତି। ଲକଡାଉନ୍‌ କଟକଣା ହେଉ କିମ୍ବା କଣ୍ଟେନମେଣ୍ଟ ଜୋନ୍‌ କଥା କୁହାଯାଉ, ସବୁଠି ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି। ଲୋକମାନେ ଜାଣିବା ଦରକାର କି ଦେଶର ୧୭୦ ହଟ୍‌ ସ୍ପଟ ମଧ୍ୟରୁ ଖୋର୍ଦ୍ଧା ଏବେ ରେଡ୍‌ ଜୋନରେ ଅଛି। ଠିକ୍‌ ସମୟରେ ସ୍ଥିତି ନିୟନ୍ତ୍ରଣ ନ ହେଲେ ତାହା ହାତରୁ ବାହାରିଯାଇ ବିସ୍ଫୋରଣ ରୂପ ନେବ। ଏପରି କି ଆଗ୍ନେୟଗିରି ସୃଷ୍ଟି କରିପାରେ। ତେଣୁ ଇନ୍ଦୋର-ଭୁବନେଶ୍ୱର ମଧ୍ୟରେ ଯେଉଁ ତାରତମ୍ୟ ରହିଛି ତାହାକୁ ଆପଣମାନେ ହିଁ ବଜାୟ ରଖିପାରିବେ ବୋଲି ବାଗ୍‌ଚୀ ଆଶାବ୍ୟକ୍ତ କରିଛନ୍ତି।

Share