ଇନ୍ଦ୍ରଜାଲ

ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ। ସେପରି ଏକ ରହସ୍ୟମୟ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଇନ୍ଦ୍ରଜାଲ’। ଆର୍‌. ଆର୍‌. ଇଭେଣ୍ଟ୍‌ସ ବ୍ୟାନର୍‌ରେ ଚିତ୍ରଟିର ପ୍ରଯୋଜନା କରିଛନ୍ତି ଓଲିଉଡ୍‌ର ଅନ୍ୟତମ ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ। ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ପିନୁ ନାୟକ। ଅପରପକ୍ଷରେ ସଂଳାପ ରଚନା କରିଛନ୍ତି ଡ. ରଜନୀ ରଞ୍ଜନ। ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର। ଏ ସମ୍ପର୍କରେ ପ୍ରଯୋଜକ ରମେଶ କହନ୍ତି, ‘ଇନ୍ଦ୍ରଜାଲର କାହାଣୀରେ ରହସ୍ୟ ଭରି ରହିଛି। ସବୁବେଳେ ମୁଁ ଭିନ୍ନଭିନ୍ନ କାହାଣୀକୁ ନେଇ ସିନେମା ନିର୍ମାଣ କରିଥାଏ। ଏହି ଫିଲ୍ମର ଦର୍ଶକ ଡିଫରେଣ୍ଟ ଚାର୍ମ ପାଇବେ ବୋଲି ଆଶା ରଖିଛି।’ ‘ଇନ୍ଦ୍ରଜାଲ’ର ମୁଖ୍ୟ ଭୂମିକାରେ ସମ୍ବିତ ଆଚାର୍ଯ୍ୟ ଅଭିନୟ କରୁଥିବା ବେଳେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି ଦେବଜାନୀ। ଅନ୍ୟପକ୍ଷରେ ପ୍ରଦ୍ୟୁମ୍ନ ଲେଙ୍କା, ଟୋପି ମିଶ୍ର, ସୁଜିତ ପାଇକରାୟ, ମୁନମୁନ୍‌, ବନ୍ଦନା, ରାଜଲକ୍ଷ୍ମୀ, ମାନସ, କମଲ ଏବଂ ପୃଥ୍ବୀରାଜ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି।

Share